ବାସୁଦେବପୁର ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ, ୩ ଦୋକାନ ଜଳିପୋଡ଼ି ଛାରଖାର
ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ସଟ୍ ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ
ଭଦ୍ରକ: ରାତିର ନିରବତା ମଧ୍ୟରେ ହଠାତ୍ ଜଳିଉଠିଲା ବାସୁଦେବପୁର ମୁଖ୍ୟ ବଜାର। ଭଦ୍ରକ ଜିଲ୍ଲା ବାସୁଦେବପୁର ସହରର କଲେଜ ଛକ ନିକଟରେ ବିଳମ୍ବିତ ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡରେ ଗୋଟିଏ ଇଲେକ୍ଟ୍ରି ସାମଗ୍ରୀ ଦୋକାନ ସହ ଦୁଇଟି ଷ୍ଟିଲ୍ ରେଲିଂ ଦୋକାନ ନିଆଁର ଶିକାର ହୋଇଥିଲା। ରାତି ସମୟରେ ଦୋକାନଗୁଡ଼ିକ ବନ୍ଦ ଥିବାରୁ ନିଆଁ ଲାଗିବା ନେଇ ପ୍ରଥମେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦେଖୁ ଦେଖୁ ନିଆଁର ତୀବ୍ରତା ବଢ଼ିବା ସହ ଦୋକାନଗୁଡ଼ିକରେ ଥିବା ବିଭିନ୍ନ ସାମଗ୍ରୀ ଜଳିଯାଇଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ବାସୁଦେବପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଦମକଳ କର୍ମଚାରୀମାନେ ଦୀର୍ଘ ସମୟ ଧରି ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ନିଆଁ ଦୋକାନଗୁଡ଼ିକୁ ବେଶ୍ ମାତ୍ରାରେ ଗ୍ରାସ କରିସାରିଥିଲା। ଫଳରେ ଦୋକାନରେ ମହଜୁଦ ଥିବା ବହୁ ମୂଲ୍ୟବାନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।
ପ୍ରାଥମିକ ଭାବେ ବିଦ୍ୟୁତ୍ ସଟ୍ ସର୍କିଟ୍ରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ମୋଟ କ୍ଷୟକ୍ଷତିର ପରିମାଣ ଯାଞ୍ଚ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଥିବା ବେଳେ ଅଗ୍ନିକାଣ୍ଡର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ ହୋଇଛି।



