ପୂଜା ଚାନ୍ଦା ଆଦାୟ ନାମରେ ଜୋରଜବରଦସ୍ତି: ୩ ଗିରଫ
ଅନୁଗୋଳ, ୧୩/୯: ପୂଜା ଚାନ୍ଦା ଆଦାୟ ନାମରେ ସାଧାରଣ ଲୋକଙ୍କୁ ହଇରାଣ କରିବା ଓ ଜୋରଜବରଦସ୍ତି ଟଙ୍କା ଆଦାୟ ଅଭିଯୋଗରେ କଲିୟାରୀ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗଣେଶ ପୂଜା ଅବସରରେ ଚାନ୍ଦା ଆଦାୟ କରୁଥିବା ବେଳେ ପୁଲିସ ଏହି ପଦକ୍ଷେପ ନେଇଛି।
ପୁଲିସ ସୂଚନା ଅନୁଯାୟୀ, ୧୨ ସେପ୍ଟେମ୍ବର ସନ୍ଧ୍ୟାରେ କଲିୟାରୀ ଥାନା ଅଞ୍ଚଳର ଜଗନ୍ନାଥ ଗେଷ୍ଟ ହାଉସ ନିକଟରେ ୩ ଜଣ ବ୍ୟକ୍ତି ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ଗଣେଶ ପୂଜା ଚାନ୍ଦା ନାମରେ ଟଙ୍କା ମାଗୁଥିଲେ। ଏନେଇ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ୩ ଜଣଙ୍କୁ ଧରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ଡେରା ଖଚିବସା ସାହିର ଦୀପକ ଗୋଚ୍ଛାୟତ (୨୮), ଦୁଃଖବନ୍ଧୁ ଗୋଚ୍ଛାୟତଙ୍କ ପୁଅ ଆଶୋକ ଗୋଚ୍ଛାୟତ (୩୬) ଏବଂ ମୀନ ଗୋଚ୍ଛାୟତଙ୍କ ପୁଅ ବାପି ଓରଫ ମହେଶ ଗୋଚ୍ଛାୟତ। ସମସ୍ତଙ୍କ ଘର କଲିୟାରୀ ଥାନା ଅଞ୍ଚଳରେ।
ପୁଲିସର ପ୍ରାଥମିକ ତଦନ୍ତରେ ଅଭିଯୁକ୍ତମାନେ ଲୋକଙ୍କ ସ୍ୱେଚ୍ଛା ବିନା ଗଣେଶ ପୂଜା ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ କଲିୟାରୀ ଥାନାରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୦୮(୫)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି।
ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ପୂଜା ଚାନ୍ଦା ନାମରେ ଜୋରଜବରଦସ୍ତି, ଭୟଭୀତ କରିବା କିମ୍ବା ଲୋକଙ୍କୁ ହଇରାଣ କରିବା ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଅନୁଗୋଳ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।



