ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
ଭୁବନେଶ୍ୱରରେ ‘ଛାତ୍ର କି ଗୁଞ୍ଜ୍’ କାର୍ଯ୍ୟକ୍ରମ, ଯୋଗଦେବେ ୨୦ ହଜାର ଯୁବ
ଭୁବନେଶ୍ୱର, ୧୫/୦୯: ଆସନ୍ତା ଅକ୍ଟୋବରରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ଛାତ୍ର କି ଗୁଞ୍ଜ୍’ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏହି ବୃହତ୍ ଯୁବ ସମାବେଶରେ ପ୍ରାୟ ୨୦ ହଜାର ଯୁବପୀଢ଼ିଙ୍କୁ ସାମିଲ କରିବାକୁ କଂଗ୍ରେସ ପକ୍ଷରୁ ଯୋଜନା କରାଯାଇଛି।
ଜେନ୍-ଜି ପିଢ଼ି ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ଶିକ୍ଷା, ରୋଜଗାର ଓ ଯୁବପୀଢ଼ିଙ୍କ ଭବିଷ୍ୟତ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା ହେବ। ଏନେଇ ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି।
ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ପକ୍ଷରୁ ମାରାଥନ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପିସିସି ସଭାପତି କହିଛନ୍ତି। ଆସନ୍ତା ଅକ୍ଟୋବର ୨ରୁ ନବରଙ୍ଗପୁରରେ କଂଗ୍ରେସ ପକ୍ଷରୁ ପଦଯାତ୍ରା ଆରମ୍ଭ ହେବ। ଏଥିରେ ଦଳର କର୍ମୀମାନେ ସାମିଲ ହେବେ ଏବଂ ବିଭିନ୍ନ କମିଟି ପଦଯାତ୍ରାର ତଦାରଖ କରିବେ।
ଭୁବନେଶ୍ୱରରେ ଜେନ୍-ଜିଙ୍କ ସମସ୍ୟାକୁ ନେଇ ଆହୁରି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି। ଏହାସହ ଆସନ୍ତା ଜାନୁଆରୀ ଓ ଫେବୃଆରୀ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି।
ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ରାଜ୍ୟରେ ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ସହ ଯୁବପୀଢ଼ିଙ୍କ ସହ ସିଧାସଳଖ ଯୋଡ଼ିହେବାକୁ କଂଗ୍ରେସ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।



