୨୦୨୯ ବିଶ୍ୱ ଆଥଲେଟିକ୍ସର ଆୟୋଜକ ନାଇରୋବି
ପ୍ରଥମ ଥର ଆଫ୍ରିକାରେ ହେବ ବିଶ୍ୱ ଆଥଲେଟିକ୍ସ, ୨୦୩୧ରେ ମ୍ୟୁନିକ୍ରେ ପ୍ରତିଯୋଗିତା
ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି କେନିଆର ରାଜଧାନୀ ନାଇରୋବି। ୨୦୨୯ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ଆୟୋଜନ କରିବାର ଅଧିକାର ନାଇରୋବିକୁ ମିଳିଛି। ଏହା ସହିତ ପ୍ରଥମ ଥର ପାଇଁ ଆଫ୍ରିକା ମହାଦେଶରେ ଏହି ବିଶ୍ୱସ୍ତରୀୟ ଆଥଲେଟିକ୍ସ ମହାକୁମ୍ଭ ଆୟୋଜିତ ହେବାର ବାଟ ଖୋଲିଛି।
ହଙ୍ଗେରୀର ବୁଦାପେଷ୍ଟରେ ମଙ୍ଗଳବାର ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ପରିଷଦର ବୈଠକ ପରେ ନାଇରୋବିକୁ ୨୦୨୯ ସଂସ୍କରଣର ଆୟୋଜକ ଭାବେ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତିକୁ ଆଫ୍ରିକୀୟ କ୍ରୀଡ଼ା ଜଗତ ପାଇଁ ଏକ ଐତିହାସିକ ସଫଳତା ଭାବେ ଦେଖାଯାଉଛି।
ଏପର୍ଯ୍ୟନ୍ତ ଆଫ୍ରିକାର କୌଣସି ସହର ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ଆୟୋଜନ କରିନାହିଁ। ତେଣୁ ୨୦୨୯ରେ ନାଇରୋବି ଏହି ଇତିହାସ ରଚିବ। ଏହା ପୂର୍ବରୁ ୨୦୨୫ ବିଶ୍ୱ ଆଥଲେଟିକ୍ସ ଆୟୋଜନ ପାଇଁ ମଧ୍ୟ ନାଇରୋବି ଦାବିଦାର ଥିଲା। ତେବେ ସେତେବେଳେ ଜାପାନର ଟୋକିଓ ଆୟୋଜନ ଅଧିକାର ହାସଲ କରିଥିଲା। ପରେ ନାଇରୋବି ପୁଣିଥରେ ଆୟୋଜନ ଅଧିକାର ପାଇଁ ଦାବି ରଖିଥିଲା ଏବଂ ଏଥର ସଫଳ ହୋଇଛି।
ଅନ୍ୟପକ୍ଷରେ, ୨୦୩୧ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ଆୟୋଜନ ଦାୟିତ୍ୱ ଜର୍ମାନୀର ମ୍ୟୁନିକ୍କୁ ଦିଆଯାଇଛି। ୨୦୨୯ ଓ ୨୦୩୧—ଉଭୟ ସଂସ୍କରଣ ସେପ୍ଟେମ୍ବର ମାସରେ ଆୟୋଜିତ ହେବ।
ସେହିପରି ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ଚୀନ୍ର ବେଜିଂରେ ଆୟୋଜିତ ହେବ। ଏହି ପ୍ରତିଯୋଗିତା ମଧ୍ୟ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।
ନାଇରୋବିକୁ ୨୦୨୯ ବିଶ୍ୱ ଆଥଲେଟିକ୍ସର ଆୟୋଜକ ଚୟନ କରାଯିବା ଆଫ୍ରିକାରେ ଆଥଲେଟିକ୍ସର ବିକାଶ ଓ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ମହାଦେଶର ଗୁରୁତ୍ୱ ବୃଦ୍ଧିର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।



