ରକ୍ତଦାନ ଶିବିର, ୪୫ ୟୁନିଟ୍ ରକ୍ତ ସଂଗ୍ରହ
ତାଳଚେର, ୧୫/୦୯ ତାଳଚେର ବ୍ଲକ ନୂଆପଡା-ସନ୍ଥପଡା ରାମେଶ୍ୱର ଯାତ୍ରା କମିଟି ଓ ଉପଖଣ୍ଡ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଆନନ୍ଦବଜାର ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଭଳି ମହତ୍ କାର୍ଯ୍ୟ ପ୍ରତି ଜନସାଧାରଣଙ୍କ ଆଗ୍ରହ ଓ ସଚେତନତା ବୃଦ୍ଧି କରିବା ସହ ଆବଶ୍ୟକ ସମୟରେ ରକ୍ତର ଅଭାବ ଦୂର କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୋଟ୍ ୪୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କମିଟିର ସଭାପତି ବିଜୟ ପ୍ରଧାନଙ୍କ ଦ୍ୱାରା ଆୟୋଜିତ ଏହି ଶିବିରକୁ ପୂର୍ବତନ ସାଂସଦ ମହେଶ ସାହୁ, ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ, ବଳରାମ ପତି ଯୋଗ ଦେଇ ଉଦଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ତାଳଚେର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ ଓ ଅନ୍ୟାନ୍ୟ ଚିକିତ୍ସାଗତ ବ୍ୟବସ୍ଥା ପରିଚାଳନା କରିଥିଲେ । ଏହି ଅବସରରେ ରାମେଶ୍ୱର ଯାତ୍ରା କମିଟିର ଉପଦେଷ୍ଟା ନରେଶ ମହାନ୍ତି, ସୌଭାଗ୍ୟ ନାୟକ, ନିରଞ୍ଜନ ସାମଲଙ୍କ ସମେତ କମିଟିର ସମସ୍ତ ପଦାଧିକାରୀ ଉପସ୍ଥିତ ରହି ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ । ଏହି ଶିବିରରେ ଡାକ୍ତର ହିମାଂଶୁ ପରିଡା, ଡାକ୍ତର ସୁସ୍ମିତା ସାହୁ, ମଦନ ମୋହନ ସାହୁ, ପ୍ରାକ୍ତନ ଅଧ୍ୟାପକ ପ୍ରଶାନ୍ତ ରଥ, ସରୋଜ ରଥ, ସନ୍ଥପଡାର ପରିଚାଳନା କମିଟିର ଉପସଭାପତି ଗଣେଶ୍ୱର ମହାନ୍ତି, ସଂପାଦକ ସହଦେବ ସାମଲ, ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ରଥ, କାଜଲ ବାରିକ, ସଂଜ୍ଞା ଦାସ, ସୁଭଦ୍ରା ସାମଲ, ବିନୋଦ ଲାଲ୍, ପଦ୍ମ ଚରଣ ସାମଲ, ମଙ୍ଗଳ ଜେନା ଏବଂ ଗ୍ରାମାଚଂଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଆଖପାଖ ଅଂଚଳର ବହୁ ଉତ୍ସାହି ଯୁବକ, ସ୍ୱେଚ୍ଛାସେବୀ, ସଚେତନ ନାଗରିକ ଯୋଗଦେଇ ରକ୍ତଦାନ କରିଥିଲେ । ଏନଟିପିସି/ଟିଟିପିଏସ୍ ପକ୍ଷରୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥିଲା । ଶେଷରେ ଆୟୋଜକ ମାନଙ୍କ ପକ୍ଷରୁ ସମସ୍ତ ରକ୍ତଦାତା, ଅତିଥି ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଯାଇଥିଲା ।

September 15, 2026/
No Comments


