୨୨ରୁ ବିଧାନସଭା ଅଧିବେଶନ: ରାଜଧାନୀରେ ଟ୍ରାଫିକ୍ କଟକଣା, ବଦଳିବ ଗାଡ଼ି ଚଳାଚଳ ରୁଟ୍
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ଅଧିବେଶନ ଚାଲିବ। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଗାଡ଼ି ଚଳାଚଳ ନେଇ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି।
ଅଧିବେଶନ ସମୟରେ ରାଜଧାନୀର କିଛି ପ୍ରମୁଖ ରାସ୍ତାରେ ଯାନବାହନ ଚଳାଚଳର ରୁଟ୍ ପରିବର୍ତ୍ତନ କରାଯିବ। ଯାତ୍ରୀ ଓ ଗାଡ଼ି ଚାଳକମାନେ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଟ୍ରାଫିକ୍ କଟକଣା ଓ ବିକଳ୍ପ ରୁଟ୍:
- ହାଉସିଂ ବୋର୍ଡରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଯାନବାହନ କେଶରୀ ଟକିଜ୍ ନିକଟରୁ ଡାଇଭର୍ଟ କରାଯିବ।
- ଏଜି ଛକରୁ ପିଏମଜି ଯିବାକୁ ଥିବା ଯାନବାହନ ଆଇଜି ପାର୍କ ରାସ୍ତା ଦେଇ ଯିବେ।
- ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଯିବା ପାଇଁ ପାର୍ଶ୍ୱ ଗଳି ଦେଇ ଯାତାୟାତ କରିହେବ।
- ୧୨୦ ବ୍ୟାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।
- ଯାନବାହନଗୁଡ଼ିକୁ ପାୱାର ହାଉସ୍ ସ୍କୋୟାର ଆଡ଼କୁ ଡାଇଭର୍ଟ କରାଯାଇ ବିକଳ୍ପ ରାସ୍ତାରେ ଯାତାୟାତ ବ୍ୟବସ୍ଥା କରାଯିବ।
- ଲୋକସେବା ଭବନରୁ ରବୀନ୍ଦ୍ର ମଣ୍ଡପ ଯିବାକୁ ଥିବା ଯାନବାହନ ଶାସ୍ତ୍ରୀ ନଗର ଛକ ଦେଇ ଯିବେ।
ବିଧାନସଭା ଅଧିବେଶନ ସମୟରେ ଟ୍ରାଫିକ୍ ଭିଡ଼ ଓ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଉଦ୍ଦେଶ୍ୟରେ ଏହି କଟକଣା ଲାଗୁ କରାଯାଇଛି। ରାସ୍ତାରେ ଯାତାୟାତ କରୁଥିବା ଲୋକେ ପୋଲିସ ନିର୍ଦ୍ଦେଶ ଅନୁସରଣ କରିବା ସହ ବିକଳ୍ପ ରୁଟ୍ ବ୍ୟବହାର କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି।



