ବିଧାନସଭାର ପ୍ରଥମ ଦିନରେ ହଟ୍ଟଗୋଳ: ପ୍ରଶ୍ନକାଳ ଚାଲିଲାନି, କାଲି ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର, ୨୨/୯ (ଜାଗ୍ରତ ଭାରତ ନ୍ୟୁଜ୍):
ଆଜିଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ଗୃହରେ ଦେଖିବାକୁ ମିଳିଛି ତୀବ୍ର ହଟ୍ଟଗୋଳ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ବିଶେଷକରି MMDR ବିଲ୍, ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀମାନେ ସରକାରଙ୍କୁ ଘେରିଥିଲେ। ପ୍ରଶ୍ନକାଳ ଚାଲୁଥିବା ସମୟରେ ବିଭାଗୀୟ ମନ୍ତ୍ରୀମାନେ ପ୍ରଶ୍ନର ଉତ୍ତର ରଖୁଥିବା ବେଳେ ମଧ୍ୟ ହୋହଲ୍ଲା ଜାରି ରହିଥିଲା।
ପୂର୍ବରୁ ଶୋକ ପ୍ରସ୍ତାବ ପରେ ନୀରବ ପ୍ରାର୍ଥନା ସମୟରେ ମଧ୍ୟ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଫଳରେ ବାଚସ୍ପତି ସୁରମା ପାଢ଼ୀ ପ୍ରଥମେ ଗୃହକୁ ଅପରାହ୍ନ ୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପରେ ପୁଣି ହଟ୍ଟଗୋଳ ଜାରି ରହିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରାଯାଇଥିଲା।
ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରି ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ତଥାପି ହଟ୍ଟଗୋଳ ଥମିନଥିଲା। ଶେଷରେ ପୁଣି ଗୃହ ମୁଲତବୀ କରାଯାଇ ଆସନ୍ତାକାଲି ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ ରଖାଯାଇଛି।
ଅନ୍ୟପକ୍ଷରେ, ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡି ପକ୍ଷରୁ ଲୋୟର ପିଏମ୍ଜିରେ ଧାରଣା ଓ ପ୍ରତିବାଦ କରାଯାଇଥିଲା।
ଚଳିତ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି ଏବଂ ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗାମୀ ଦିନଗୁଡ଼ିକରେ ଆଇନଶୃଙ୍ଖଳା, କୃଷକ ସମସ୍ୟା, ବନ୍ୟା ପରିଚାଳନା, ପାଠ୍ୟପୁସ୍ତକ ତ୍ରୁଟି ଓ MMDR ବିଲ୍ ସମେତ ଅନେକ ପ୍ରସଙ୍ଗ ଗୃହରେ ଉଠିବାର ସମ୍ଭାବନା ରହିଛି।



