ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ : ଟ୍ରକ୍ ଯୋଗେ ପରିବହନ ଦାବି

ଜେ ବି ଏନ, ୦୪/୦୧/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ ପରୋକ୍ଷ ଭାବେ ପ୍ରାୟ ୩୦ ହଜାର ଲୋକ ନିର୍ଭର କରନ୍ତି । ତେବେ ବର୍ତ୍ତମାନ କୋଇଲା ମନ୍ତ୍ରାଳୟର ନୂଆଁ ନିୟମ ଯୋଗୁଁ ଏମାନଙ୍କ ଜୀବନଜୀବିକା ସନ୍ଦିହାନରେ । କାରଣ ତାଳଚେର ଖଣି ଅଞ୍ଚଳରୁ ଏବେ ଟ୍ରକ ନୁହେଁ , କେବଳ ଟ୍ରେନ ଯୋଗେ କୋଇଲା ପରିବହନ କରାଯାଉଛି । ପୂର୍ବରୁ ଦୈନିକ ୩ ହଜାର ଟ୍ରକ କୋଇଲା ପରିବହନ କରୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ମାତ୍ର ୧ ହଜାର ଟ୍ରକ କୋଇଲା ପରିବହନ କରି ପାରୁଛି । ଫଳରେ ଟ୍ରକ ମାଲିକ ମାନଙ୍କୁ କ୍ଷତି ସହିବାକୁ ପଡୁଛି । ପୂର୍ବରୁ କୋଇଲା ପରିବହନ ଟ୍ରେନ ଯୋଗେ ୬୦ ପ୍ରତିଶତ ଓ ଟ୍ରକ ଯୋଗେ ୪୦ ପ୍ରତିଶତ କୋଇଲାଖଣିରୁ କୋଇଲା ପରିବହନ ପାଇଁ ନିଷ୍ପତି ହୋଇଥିବା ବେଳେ ବର୍ତମାନ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କୋଭିଡ ଲକଡାଉନ ପରେ କୋଇଲା ପରିବହନ ପାଇଁ ଟ୍ରେନ ଓ ଟ୍ରକରେ ସମାନ ପରିମାଣର ଅଫର ଏମ॰ସି॰ଏଲ॰ ଦେଇଥିବାରୁ ସମସ୍ତ କମ୍ପାନୀମାନେ ଟ୍ରେନ ଯୋଗେ କୋଇଲା ପରିବହନ କରି ନେଉଛନ୍ତି । ଫଳରେ ଟ୍ରକ ଯୋଗେ କୋଇଲା ପରିବହନ ହୋଇପାରୁନାହିଁ । ଏହାକୁ ନେଇ ଟ୍ରକ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଉ ଏଥିପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଟ୍ରକ ଯୋଗେ କୋଇଲା ପରିବହନ ପାଇଁ ଦାବି କରା ଯାଇଛି । ଦାବି ପୂରଣ ନହେଲେ ଆସନ୍ତା ୧୧ ତାରିଖଠାରୁ ରେଳ ପଥ ଅବରୋଧ କରି କୋଇଲା ପରିବହନ ସମ୍ପୂର୍ଣ ବନ୍ଦ କରିବା ପାଇଁ ସଙ୍ଘ ଚେତାବନୀ ଦେଇଛି ।



