
ଜିଲ୍ଲାସ୍ତରୀୟ ଶିକ୍ତ ଅନୁଷ୍ଠାନ ସହ କ୍ଷୁଦ୍ର , ଲଘୁ ଏବଂ ମଧ୍ୟମ ଉଦ୍ୟୋଗ କର୍ମଶାଳା ଅନୁଷ୍ଠିତ
କ୍ଷୁଦ୍ର , ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ସଂଖ୍ୟା ବଢିଲେ ଜିଲ୍ଲାର ଅର୍ଥନୀତି ସୁଦୃଢ଼ ହେବ -ଜିଲ୍ଲାପାଳ ।
(ଜେ ବି ଏନ) ୧୪/୦୧/୨୦୨୧ ଅନୁଗୋଳ : କ୍ଷୁଦ୍ର , ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ସଂଖ୍ୟା ବଢିଲେ ଜିଲ୍ଲାର ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି ଆଜି ପୂର୍ବାହ୍ନରେ ଅନୁଷ୍ଠିତ ପ୍ରଥମ ଜିଲ୍ଲାସ୍ତରୀୟ ଶିଜ ଅନୁଷ୍ଠାନ ସହ କ୍ଷୁଦ୍ର , ଲଘୁ ଏବଂ ମଧ୍ୟମ ଉଦ୍ୟୋଗ କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇ ପ୍ରକାଶ କରିଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ସେ ଉଦଘାଟନ କରିବା ସହ ଅନୁଗୋଳ ଏକ ଶିଳ୍ପସମୃଦ୍ଧ ଏବଂ ଖଣିଜ ସମ୍ପଦରେ ଭରପୁର ଜିଲ୍ଲା ଅଟେ ବୋଲି ପ୍ରକାଶ କରିଲେ । ଏହା ସତ୍ତ୍ଵେ ଯେତେ ପରିମାଣର କ୍ଷୁଦ୍ର , ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ହେବା କଥା ସେତିକି ସଂଖ୍ୟାରେ ହୋଇପାରୁନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ । ଏଥିପ୍ରତି ସମସ୍ତଙ୍କର ଆନ୍ତରିକ ମିଳିତ ଉଦ୍ୟମ ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଯେତେ ଅଧିକ ସଂଖ୍ୟାରେ ଉଦ୍ୟୋଗ ପ୍ରତିଷ୍ଠା ହେବ ସେତେ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ଗୋଷ୍ଠୀ ଓ ଅର୍ଥନୀତି ସୁଦୃଢ ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ଭାରତ ସରକାରଙ୍କ ଥିବା ୧୫ଟି ଉଦ୍ୟୋଗରେ ୮୨୨ଜଣ ଶିକ୍ଷା ନବିସ ତାଲିମ ନେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୮୨ ଜଣ ତାଲିମ ଗ୍ରହଣ କରୁଛନ୍ତି । ସେହିଭଳି ରାଜ୍ୟ ସରକାରଙ୍କ ୭ଟି ଉଦ୍ୟୋଗରେ ୩୮ଜଣଙ୍କୁ ଶିକ୍ଷା ନବିସ ତାଲିମ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ୧୫ଜଣ ଙ୍କୁ ତାଲିମ ଦିଆଯାଉଛି । ବେସରକାରୀ ଉଦ୍ୟୋଗରେ ୧୩୨ ଜଣଙ୍କୁ ତାଲିମ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥୁବାବେଳେ ୩୩ ଜଣଙ୍କୁ ତାଲିମ ଦିଆଯାଉଛି । ବିଗତ ୫ ବର୍ଷ ମଧ୍ୟରେ ରାଷ୍ଟ୍ରଦ୍ୟୋଗ ନାଲକୋରେ ୫୫ଜଣ ଏସ .ଏ .ପି ଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ମାନସ ରଞ୍ଜନ ମହାନ୍ତି ସୂଚନା ଦେଇଥଲେ । ଜିଲ୍ଲାରେ ଗୋଟିଏ ଡିଗ୍ରୀ ବୈଷୟିକ ମହିବିଦ୍ୟାଳୟ , ୬ ଟି ଡିପ୍ଲୋମା ଅନୁଷ୍ଠାନ ଓ ୨୭ଟି ଶିଳ୍ପ ତାଲିମ ଅନୁଷ୍ଠାନ ଅଛି । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ ଯୋଗ ଦେଇ ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଆୟୋଜନ ହୋଇଥିବା ଏହି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ନୋଡାଲ ଅଧିକାରୀ ( ଓ ଏସ ଡି ଏ ) ଶ୍ରୀ ଏସ.ଭି.ଏନ ରାଓ , ରାଜ୍ୟ ଶିକ୍ଷା ନବିସ ପ୍ରତିନିଧେ ଶ୍ରୀ ବିଷ୍ଣୁ ଚରଣ ସାହୁ , ଶିଳ୍ପ ତାଲିମ ଅନୁଷ୍ଠାନ ତାଳଚେରର ଅଧ୍ୟକ୍ଷ ଶ୍ରୀ ସ୍ୱରୂପ ସମ୍ପତ ରଥ , ଜିଲ୍ଲା ସାକ୍ଷରତା ସମିତିର ସଂଯୋଜକ ଶ୍ରୀ ପ୍ରସନ୍ନ କୁମାର ବରାଳ ପ୍ରମୁଖ ସାଧନ କର୍ମୀ ଭାବେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ , ବିଭିନ୍ନ ଶିଳ୍ପ ଅନୁଷ୍ଠାନର ପ୍ରତିନି କ୍ଷୁଦ୍ର , ଲଘୁ ଏବଂ ମଧ୍ୟମ ଉଦ୍ୟୋଗୀ ଓ ବୈଷୟିକ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।



