
ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସମନ୍ବୟ ବୈଠକ ଓ କର୍ମଶାଳା ଅନୁଷ୍ଠିତ
(ଜେ ବି ଏନ /ସୁଶିଲ କୁମାର) ୧୪/୦୧/୨୦୨୧ ଅନୁଗୋଳ : ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ବାରା ଆଜି ମଧ୍ୟାହ୍ନରେ ଜିଲ୍ଲାସ୍ତରୀୟ ବୈଠକ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପକୁ ନେଇ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ସାହୁ ଅଧ୍ୟକ୍ଷତା କରି ବିଭିନ୍ନ ବିଭାଗର ସମନ୍ନୟରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ । କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପକୁ ଅନୁଗୋଳ , ଆଠମଲ୍ଲିକ , ଛେଣ୍ଡିପଦା , କିଶୋରନଗର ଓ ପାଳଲହଡା ବ୍ଲକରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଆସନ୍ତା ୨ ବର୍ଷ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଏହି ପ୍ରକଳ୍ପ ଅନୁଯାୟୀ ଉପରୋକ୍ତ ୫ ଟି ବ୍ଲକରେ କୃଷି , ଉଦ୍ୟାନ , ପଶୁ ସମ୍ପଦ , ଜଳ ଓ ମସ୍ୟ ସମ୍ପଦର ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯିବ । ୫୦ ରୁ ୧୫୦ ଜଣ ଚାଷୀଙ୍କୁ ଏକାଠି କରାଯାଇ ଏହି କ୍ଲଷ୍ଟର ଗଠନ କରାଯିବ । ପ୍ରତି କ୍ଲଷ୍ଟରରେ ଅନ୍ତର୍ଭୁକ୍ତ ଚାଷୀ ମାନେ ଏକ ପ୍ରକାର ଚାଷ ଓ ଚାଷପ୍ରଣାଳୀ ଅନ୍ତକରଣ କରିବେ । ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର ବାର୍ଷିକ ଆୟକୁ ଦ୍ବି – ଗୁଣିତ କରିବା । ଓଡ଼ିଶା ଜୀବିକା ମିଶନ , ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଉତ୍ପାଦକ ଦଳ ଓ ଉତ୍ପାଦକ କମ୍ପାନୀ ମାନ ଗଠନ କରାଯିବ । ଏହି କର୍ମଶାଳାରେ ପ୍ରଦାନ ଏନଜିଓର ରାଜ୍ୟ ସଂଯୋଜକ ଶ୍ରୀ ତାରା ତ୍ରିପାଠୀ ଯୋଗ ଦେଇ ଏହି ପ୍ରକଳ୍ପର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କର୍ମଶାଳାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।



