କଟକରେ ପହଞ୍ଚିଲା କରୋନା ଟିକା !

ଜେ ବି ଏନ, ୧୪/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ବହୁ ପ୍ରତୀକ୍ଷିତ କରୋନା ଟିକା କଟକ ସିଟି ହସପିଟାଲ୍ରେ ଆଜି ରାତି ପ୍ରାୟ ୮ଟା ବେଳେ ପହଞ୍ଚିଛି । ମୋଟ ୧୯ ଶହ ୧୦ ଭାଏଲ୍ କରୋନା ଟିକା ( କୋଭିସିଲଡ୍ ) କଟକରେ ପହଞ୍ଚିଛି । ଗୋଟିଏ ଭାଏଲ ୧୦ ଜଣଙ୍କୁ ଦିଆଯିବ । ଅର୍ଥାତ ମୋଟ ୧୯ ହଜାର ୧୦୦ ଜଣ ଏହି ଟିକା ନେଇପାରିବେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୨୮ ହଜାର ୫୦୪ ସ୍ବାସ୍ଥ୍ୟ କର୍ମୀଙ୍କ ଟିକାକରଣ କରାଯିବ । ଏହାସହିତ ଏବେ କଟକ କମିସନରେଟ୍ ପୁଲିସ ଓ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସର ମୋଟ ୩ହଜାର ୩୦୭ ଜଣଙ୍କୁ ଟିକା ଦେବାକୁ ତାଲିକା ପ୍ରସ୍ତୁତ ହୋଇଛି । କୋଭିଡ ଯୋଦ୍ଧା ଭାବେ ପୁଲିସ ଏସପି / ଡିସିପିଙ୍କଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତ ପୁଲିସ କର୍ମଚାରୀଙ୍କୁ ଟିକାକରଣ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ହସପିଟାଲ୍ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ , କଟକ ଜିଲ୍ଲାରେ ରାଜ୍ୟରେ ସର୍ବାଧୂକ ସ୍ବାସ୍ଵୀକର୍ମୀ ଆସନ୍ତା ୧୬ ତାରିଖରେ ଟିକା ନେବାକୁ ଯାଉଛନ୍ତି । ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ବିକଶିତ ‘ କୋଭିସିଡ ‘ ଟିକା ଆଜି ଅପରାହ୍ନ ପ୍ରାୟ ୩ଟା ୪୫ରେ ଭୁବନେଶ୍ବରରେ ସ୍ବତନ୍ତ୍ର ସ୍ବାଇସିଜେଟ୍ ବିମାନରେ ପହଞ୍ଚିବା ପରେ କଟକ କମିସନରେଟ୍ ପୁଲିସର ୪ ଜଣ ସଶସ୍ତ୍ର ପୁଲିସ କର୍ମଚାରୀ ଓ ସିଟି ହସପିଟାଲର ୫ ଜଣ କର୍ମଚାରୀ ଭୁବନେଶ୍ବରରୁ ଟିକା ଆଣିବାକୁ ଅପରାହ୍ନ ପ୍ରାୟ ୫ଟା ବେଳେ ଯାଇଥିଲେ ।



