ବୌଦ୍ଧ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ପାଇଁ ଟାସ୍କ ଫୋର୍ସ କମିଟି ବୈଠକ

ଜେ ବି ଏନ, ୨୩/୦୨ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ), ଜୋନାଲ ହେଡ ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ : ସଂପ୍ରତି କେତେକ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ବ୍ୟାପିବା ଘଟଣା ସାମ୍ନାକୁ ଆସିବା ପରେ , ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡର ସାନି ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ପୁଣିଥରେ କୋଭିଡ କଟକଣାର ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏଥିନିମନ୍ତେ ଜନସାଧାରଣଙ୍କୁ ସଜାଗ କରିବା ପାଇଁ ଜିଲ୍ଲାବ୍ୟାପି ପ୍ରଚାର କରାଯିବା ସହ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ବାହାଘର , ସାଂସ୍କୃତିକ , ଧାର୍ମିକ , କ୍ରୀଡ଼ା ଆଦି କାର୍ଯ୍ୟକ୍ରମ ଗୁଡ଼ିକରେ ଯେପରି ଅଧିକ ସଂଖ୍ୟାରେ ଜନସମାଗମ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ଓ ପୋଲିସ୍ ଧ୍ୟାନ ଦେବେ । ସମସ୍ତ ଅଫିସ୍ ଓ ସର୍ବସାଧାରଣରେ ନିୟମିତ ହାତଧୁଆ , ସାମାଜିକ ଦୂରତା , ମାସ୍କ ବ୍ୟବହାରକୁ ଗୁରୁତ୍ବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟବିଭାଗର ରାପିଡ୍ ରେସ୍ପନ୍ସ ଟିକୁ ପୁଣିଥରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଆଶାକର୍ମୀଙ୍କ ମାଧ୍ୟମରେ ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କର ସ୍ବାବ୍ ଟେଷ୍ଟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏଥିସହ ଜିଲ୍ଲାରେ କୋଭିଡ୍ ଟିକାକରଣ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ବର୍ତମାନ ସୁଦ୍ଧା ୮୬ ଶତକଡ଼ା ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ହୋଇଥିବା ବେଳେ ଏହାକୁ ଶତପ୍ରତିଶତ କରିବା ସହ ସମସ୍ତ ଫଜିକୃତ ଆଗଧାଡ଼ିର କର୍ମୀ ମାନଙ୍କର କୋଭିଡ ଟିକାକରଣ ଆସନ୍ତା ୨୮ ତାରିଖ ସୁଦ୍ଧା ସାରିବା ପାଇଁ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଭି . ରଘୁନାଥ ରାଓ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ , ଡା . ତ୍ରିଲୋଚନ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ ଏନ୍ ସି ଜ୍ୟୋତିରଂଜନ ନାୟକ , ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର , ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା . ପ୍ରଦୋଷ ମହାପାତ୍ର , ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା . ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ , ଡା . କିଶୋରଚନ୍ଦ୍ର ପଟ୍ଟନାୟକ , ଜିଲ୍ଲା କୋଭିଡ୍ ହେଲଥ ସେଂଟର୍ ଅଧିକାରୀ ଡା . ବିଜୟ କୁମାର ଦାଶ , ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ , ବିରଂଚି ଧରୁଆ , ଡିପିଏମ୍ ରୂପକ କୁମାର ମହାପାତ୍ର , ତଥା ବିଭାଗୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।



