
ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ବାର୍ଷିକ ସମୀକ୍ଷା ବୈଠକ
(ଜେ. ବି. ଏନ୍ /ସୁଶାନ୍ତ କୁମାର) ୦୨/୦୩ /୨୦୨୧ ଅନୁଗୋଳ ଆଠମଲ୍ଲିକ ଉପଖଣ୍ଡର ୭୫ଟି ବନ ସୁରକ୍ଷା ସମିତିକୁ ପ୍ରାୟ ୬ କୋଟି କାର ସହାୟତା ପ୍ରଦାନ । ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ , ଆଠମଲ୍ଲିକ ପରିଚାଳନା ୟୁନିଟର ବାର୍ଷିକ ସମୀକ୍ଷା ବୈଠକ ନାଲକୋ ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ସମୀକ୍ଷା ବୈଠକ ଓ ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରଦର୍ଶନୀକୁ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକଳ୍ପ କାର୍ଯ୍ୟକାରିତାକୁ ପ୍ରଶଂସା କରିବା ସହିତ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ ଓ ଲୋକମାଙ୍କର ସହଭାଗିତାରେ ଜଙ୍ଗଲ ସୁରକ୍ଷିତ ରହିବା ସହ ଲୋକ ମାନଙ୍କ ର ଆର୍ଥିକ ବିକାଶ ହୋଇପାରୁଛି ବୋଲି ପ୍ରକାଶ କରିଥିଲେ । ଜାପାନ ସରକାରଙ୍କ ଜାଇକା ସଂସ୍ଥାର ସହଯୋଗ ଏବଂ ଲୋକମାନଙ୍କର ଆନ୍ତରିକ ଉଦ୍ୟମ ଫଳରେ ଆଠମଲ୍ଲିକ ଉପଖଣ୍ଡର ୭୫ଟି ବନ ସୁରକ୍ଷା ସମିତିର ସର୍ବାଙ୍ଗୀନ ବିକାଶ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡ.ପ୍ରଦୀପ ରାଜ କରାଟ ଯୋଗ ଦେଇ ଜଙ୍ଗଲ ବୃଦ୍ଧି ଓ ଗ୍ରାମ ଉନ୍ନତିରେ ଲୋକମାନଙ୍କର ସହଭାଗିତା ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ । ପ୍ରତ୍ୟେକ ବନ ସୁରକ୍ଷା ସମିତି ଗୃହକୁ ସଠିକ ଭାବରେ ବ୍ୟବହୃତ କରାଯାଇ ଜଙ୍ଗଲ ଅଭିବୃଦ୍ଧିରେ ସହାୟକ ହୋଇପାରିଲେ ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଆଠମଲ୍ଲିକ ବନଖଣ୍ଡର ଆଠମଲ୍ଲିକ , ମାଧପୁର ଓ ବାମୁର ବନାଞ୍ଚଳର ୭୫ଟି ଗ୍ରାମରେ ଏହି ପ୍ରକଳ୍ପ ମାଧ୍ୟମରେ ଗ୍ରାମ ସ୍ତରୀୟ ଯୋଜନାର ସମନ୍ବୟ ଏବଂ ସମାନ୍ତରାଳ ଭାବରେ ଜଙ୍ଗଲ ସୁରକ୍ଷା ଓ ଏହାର ଅଭିବୃଦ୍ଧି ହୋଇପାରିଛି ବୋଲି ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ଏସ୍ ଆନନ୍ଦ ପ୍ରକାଶ କରିଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗ ସହାୟତାରେ ଡିସେମ୍ବର ୨୦୧୭ ମସିହାଠାରୁ ଅଦ୍ୟାବଧି ପ୍ରାୟ ୬କୋଟି କାର ସହାୟତା ୭୫ଟି ବନ ସୁରକ୍ଷା ସମିତିକୁ ଯୋଗାଇ ଦିଆଯାଇଛି । ସମସ୍ତ ବନ ସୁରକ୍ଷା ସମିତିରେ ପ୍ରାୟ ୬୬୦୯ହେକ୍ଟର ଜଙ୍ଗଲ ସୁରକ୍ଷିତ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି । ସମ୍ପ୍ରତି କରୋନା ସମୟରେ ଏହି ଗ୍ରାମ ମାନଙ୍କରେ ୧ଲକ୍ଷ ୪୦ହଜାର ଶ୍ରମ ଦିବସ ସୃଷ୍ଟି କରାଯିବା ସହିତ ୨୩ଠଜଣ ଚାଷୀକୁ ମହୁଚାଷ ତାଲିମ , କୃଷି ଉପକରଣ , ରୋଜଗାର ବୃଦ୍ଧି କାର୍ଯ୍ୟକ୍ରମ , ଛତୁ ଚାଷ , କୁକୁଡା ଚାଷ , ପନିପରିବା ଚାଷ ଓ ଅନ୍ୟାନ୍ୟ ଆୟକାରୀ କାର୍ଯ୍ୟକ୍ରମ ସହିତ ଜଳ ଯୋଗାଣ , ଗମନାଗମନର ସୁବିଧା , ପୋଖରୀ ପୁନଃଉଦ୍ଧାର କାର୍ଯ୍ୟକ୍ରମ ହାତକୁ ନିଆଯାଇ ସୁଚାରୁରୂପେ ସମ୍ପାଦିତ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅନୁଗୋଳ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରସନ୍ନ ବେହେରା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ , ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ . ରଣଜିତ କୁମାର ଦାଶ , ଜଳ ବିଭାଜିକା ପ୍ରକଜ ନିର୍ଦ୍ଦେଶକ ଶିବ ପ୍ରସାଦ ପାଢୀ , ଆଠମଲ୍ଲିକ ବିଡିଓ ଶ୍ରୀ ସଂଜୟ କୁମାର ଆଚାର୍ଯ୍ୟ , ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ବର ଗୌଡ , ଉପ – ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀ ପଦ୍ମ ଲୋଚନ ଦାସ , ସହକାରୀ କୃଷି ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡା , ମସ୍ୟା ଅଧ୍ବକାରିଣୀ ଶୁଭସ୍ମିତା ଘଡେଇ , ଜିଲ୍ଲା ଶିଳ୍ପ କେନ୍ଦ୍ର ସହ – ପରିଚାଳକ ଶ୍ରୀ ଶିବାଶିବ କାନୁନଗୋ , ପ୍ରକଳ୍ପ ସଂଯୋଜକ ଓଡିଶା ଜୀବିକା ମିଶନ ଚନ୍ଦନ କୁମାର ବେହେରା ଏବଂ ଓରମାସର ଉପକାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୌରଭମୟ ଦାଶ ପ୍ରମୁଖ ନିଜ ନିଜ ବିଭାଗର କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ଯଦୁପୁର ବନସୁରକ୍ଷା ସମିତିକୁ । ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବନବିଭାଗ ତରଫରୁ ପରିଚାଳିତ ଡିଜିଟାଲ ଶିକ୍ଷା କେନ୍ଦ୍ର ରାଜିଙ୍ଗର ୧୦ଶ୍ରେଣୀ ଛାତ୍ର ଶ୍ରୀମାନ ଅସିତ କୁମାର ପ୍ରଧାନ ଓ ଛାତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ବିଶ୍ବାଳ କରୋନା ସମୟରେ କମ୍ପୁଟର ଓ ଅନ୍ୟାନ୍ୟ ଆନୁସଂଗୀକ ସୁବିଧା ଯୋଗାଇ ଦିଆଯାଇଥିଲା ଯାହା ଫଳରେ ସେମାନେ ଶିକ୍ଷା ଲାଭ କରିପାରିଲେ ବୋଲି ପ୍ରକାଶ କରିଥିଲେ । ବୈଷୟିକ ପରାମର୍ଶଦାତା ଶ୍ରୀ ଗିରିଜା ଶଂକର ଦାସ ଅତି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଶ୍ବ ଯୁବ କେନ୍ଦ୍ର ବଣିଳାଳିର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।



