ଓଡ଼ିଶା ପତ୍ରକାର ସଂଘର ନିର୍ବାଚନ: ଅବିନାଶ ସଭାପତି ଓ ହର ପ୍ରସାଦ ଉପ-ସଭାପତି
ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ଆଇନ କରନ୍ତୁ – ନବ ନିର୍ବାଚିତ କର୍ମକର୍ତ୍ତା
ଭୁବନେଶ୍ୱର – ଓଡ଼ିଶା ପତ୍ରକାର ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବଥର ଭଳି ଚଳିତ ଥର ଅବିନାଶ ମିଶ୍ର ପୁଣି ଥରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରାମ ଦାସ (ଲିମା) ସାଧାରଣ ସମ୍ପାଦକ ଓ ହରପ୍ରସାଦ ଦାସ ଉପ-ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ।
ଓଡ଼ିଶା ପତ୍ରକାର ସଂଘର ସାଧାରଣ ପରିଷଦ ବୈଠକ ଓ ୨୦୨୩ରୁ ୨୦୨୬ ପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ଭରତ ଚନ୍ଦ୍ର ବେହେରା ଦାୟିତ୍ବ ତୁଲାଇଥିଲେ । ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିରଳନା କରିଥିଲେ । ତେବେ ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଭାବେ ସୁରେଶ ଦାଶ, ପ୍ରଦୀପ ଦାଶ, ସଂଗଠନ ସମ୍ପାଦକ ଭାବେ କିଶୋର ଚନ୍ଦ୍ର ରଥ, ସମ୍ପାଦକ ଯତିନ୍ଦ୍ର ସେଣ୍ଟ, କୋଷାଧକ୍ଷ ସତ୍ୟବାଦୀ ନାୟକ ମନୋନୀତ ହୋଇଛନ୍ତି ।
ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଉମେଶ ଚନ୍ଦ୍ର ରାୟ, ମନୋଜ କୁମାର ଦାସ, ନିଷ୍ଫଳ ବିଶ୍ୱାଳ, ସମ୍ବିତ ମଲ୍ଲିକ, ନୃସିଂହ ମହାପାତ୍ର, ରଘୁନାଥ କାମ୍ବା, ଶଙ୍କର ବେହେରା, ସୁଶିଲ କୁମାର ଆଇଚ, ବିଶ୍ଵରଞ୍ଜନ ମିଶ୍ର, ସଞ୍ଜୟ ସାହୁ, ମିତ୍ରବନ୍ଧୁ ପଲେଇ, ରସାନନ୍ଦ ବେହେରା, ପ୍ରଭାକର ବିଶ୍ୱାଳ, ମାଧବ ରାଉତ, ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ ମନୋନୀତ ହୋଇଛନ୍ତି ।
ରବିବାର ଭୁବନେଶ୍ଵରସ୍ଥିତ ସଂଘ କାର୍ଯ୍ୟାଳୟରେ ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରାତଞ୍ଜଳି ଖବରକାଗଜର ସମ୍ପାଦକ ପ୍ରଦୀପ କୁମାର ସାହାଙ୍କ ଅକାଳ ବିୟୋଗରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥ୍ସହିତ ଦିବଙ୍ଗତ ସାମ୍ବାଦିକଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହା ପରେ ସଂଘର ଆଭିମୁଖ୍ୟ, କାର୍ଯ୍ୟପନ୍ଥା, ସଂଗଠନ ସୁଦୃଢ ଉପରେ ଆଲୋଚନା କରାଯାଥିଲା ।
ବିଶେଷକରି ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ଆଇନ କରିବା, ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ରାଶି ୨ରୁ ୫ ଲକ୍ଷକୁ ବୃଦ୍ଧି ପ୍ରଭୃତି ସାତଦଫା ଦାବି ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଘର ସଦସ୍ୟମାନେ ଯୋଗଦେଇ ଆଲୋଚନା କରିଥିଲେ । ଶେଷରେ ସଂଘର ଉପସଭାପତି ହର ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।




