

କାଠ ମାଫିଆ ଓ ବନ ଅଧିକାରୀଙ୍କ ଭିତିରି ସମ୍ପର୍କ, ନଷ୍ଟ ହେଉଛି ଜଙ୍ଗଲ!
ମାଲକାନଗିରି : ଜଙ୍ଗଲ ସୃଷ୍ଟି ଲାଗି ବନ ବିଭାଗ ତତ୍ପର ହେଉଥିବା ବେଳେ କେତେକ ଅସାଧୁ କର୍ମଚାରୀ ଓ ଅଧିକାରୀଙ୍କ ଯୋଗୁଁ ଏହି ଯୋଜନା ବାଟମଣା ହେଉଛି । ଜଙ୍ଗଲ ସୃଷ୍ଟି ନାଁରେ କେଉଁ ସରକାରୀ ଅର୍ଥ ଆତ୍ମସାତ ହେଉଛି ତ ଆଉ କେଉଁଠି ଅସାଧୁ ବନକର୍ମଚାରୀଙ୍କ ଯୋଗୁଁ ଜଙ୍ଗଲ ନଷ୍ଟ ହେଉଛି । ଏହି କ୍ରମରେ ଏବେ ମାଲକାନଗିରି ଜିଲ୍ଲାରେ କାଠ ମାଫିଆ ଓ ବନ କର୍ମଚାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ଜଙ୍ଗଲ ପଦା ହେଉଥିବା ଅଭିଯୋଗ ହେଉଛି ।
ଅଭିଯୋଗ ଅନୁସାରେ, ବେଶ କିଛିଦିନ ହେଲା ମାଲକାନଗିରି ଅଞ୍ଚଳରେ କାଠ ମାଫିଆ ସକ୍ରିୟ ହୋଇଉଠିଛନ୍ତି । ଏହି ମାଫିଆମାନେ କେତେକ ଅସାଧୁ ବନ କର୍ମଚାରୀଙ୍କୁ ହାତବାରିସ କରି ବଡ ବଡ ଗଛ କାଟି ନେଉଛନ୍ତି । କେତେକ ସ୍ଥଳେ ଲୋକେ ଅଭିଯୋଗ କରିବା ପରେ ବନ ବିଭାଗ କାଁ ଭାଁ କାଠକୁ ଜବତ କରୁଛି । ହେଲେ ପରବର୍ତ୍ତୀ ସମୟରେ ତାହାକୁ ବିକ୍ରି କରି ନି୍ଜ ପକେଟ ଗରମ କରୁଛନ୍ତି । ଏହି ଘଟଣାରେ ଫରେଷ୍ଟର କ୍ଷୀରଲତା ନାୟକଙ୍କ ସଂପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ହୁଏ ।
କୁହାଯାଉଛି, ଫରେଷ୍ଟର ଶ୍ରୀମତୀ ନାୟକ ମାଥିଲି ରେଞ୍ଜ ଅଧିନସ୍ତ ସାଲିମି ସେକ୍ସନରେ କାର୍ଯ୍ୟରତ ଥିବା ସମୟରେ ଏକାଧିକ ଖଟ ଓ ପଲଙ୍କ ତିଆରି କରି ତାଙ୍କ ଗୋବିନ୍ଦପାଲି ସରକାରୀ ବାସଭବନରେ ରଖିଥିଲେ । ପ୍ରାୟ ସାତ ସେଟ୍ ପଲଙ୍କ ସେ ବିନା କାଗଜ ପତ୍ରରେ ନେଇଥିବା ଜଣାପଡିିଛି । ସେ ଏହି ପଲଙ୍କ ପାଇଁ ତା ୧୯/୦୯/୨୦୨୨ରେ ଆବେଦନ କରିଥିଲେ, ହେଲେ ତାହା ମାଥିଲି ରେଞ୍ଜରଙ୍କ ଅନୁମୋଦନ ପ୍ରାପ୍ତ ହୋଇନାହିଁ ।
ତେବେ ସେ ନିଜ କ୍ଷମତାର ଅପବ୍ୟହର କରି ବିନା ଅନୁମତିରେ କିଭଳି ଏତେ ସବୁ ଅବ୍ୟବହୃତ କାଠ ପଲଙ୍କ ଗୋବିନ୍ଦପାଲି ଫରେଷ୍ଟ ରେଞ୍ଜ ଅଫିସ ଭିତରୁ ପାଣ୍ଡ୍ରିପାଣି ପର୍ଯ୍ୟନ୍ତ ନେଲେ? ଏସବୁ ବାବଦରେ ତାଙ୍କର ଉଚ୍ଚ ପଦସ୍ତ ଅଧିକାରୀ ଜାଣିଶୁଣି କେମିତି ଚୁପ୍ ରହିଛନ୍ତି, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ସାମାଜିକକର୍ମୀ କେ. ବାଲାରାଜୁ ଆଚାରି କହିଛନ୍ତି, ଯଦି ଅଭିଯୋଗ ସତ୍ୟ, ତେବେ ଏହା ସାଂଘାତିକ । ସଂପୃକ୍ତ ଫରେଷ୍ଟର ଯେଉଁ ସ୍ଥାନରେ କାର୍ଯ୍ୟ ନିର୍ବାହ କରିଛନ୍ତି, ସେ ସବୁ ଅଞ୍ଚଳର ଲୋକଙ୍କ ଠାରୁ ତାଙ୍କ କାର୍ଯ୍ୟଶୈଳୀ ଓ ଆଚାର ବ୍ୟବହାର ଉପରେ ତଥ୍ୟ ସଂଗ୍ରହ କରିତାଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । ଅନ୍ୟପକ୍ଷରେ ଏହି ଅଭିଯୋଗ ସମ୍ପର୍କରେ ଆମେ ଫରେଷ୍ଟର ଶ୍ରୀମତୀ ନାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଠା କରିଥିଲୁ, ହେଲେ ତାହା ସମ୍ଭବ ହୋଇପାରିନାହିଁ ।(ବ୍ୟୁରୋ ରିପୋର୍ଟ ମାଲକାନଗିରି )





