ଢେଙ୍କାନାଳରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ ମାନବିକତାର ପରିଚୟ ଦେବାକୁ ଜିଲ୍ଲାପାଳଙ୍କ ଆହ୍ବାନ ପୂର୍ଣ୍ଣ ସହଯୋଗ ପାଇଁ ସାଧୁବାଦ ଜ୍ଞାପନ
ଢେଙ୍କାନାଳ, ତା. ୧୯ ୦୮.୨୦୨୩ –
ଆଜି ଢେଙ୍କାନାଳରେ ଫଟୋ ଓ ଭିଡ଼ିଓ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ବ ଫଟୋଗ୍ରାଫି ଦିବସ ସହିତ ଆଜି ସାରା ବିଶ୍ବରେ ମାନବିକତା ଦିବସ ପାଳିତ ହେଉଅଛି ବୋଲି ପ୍ରକାଶ କରି, ସମସ୍ତ ଗଣମାଧ୍ୟମର ପ୍ରତିନିଧୂ ମାନେ ଫଟୋଚିତ୍ର ମାଧ୍ୟମରେ ମାନବ ଜାତିର କଲ୍ୟାଣ ନିମନ୍ତେ ସମସ୍ତ ପ୍ରକାରର ସଫଳ କାର୍ଯ୍ୟକ୍ରମର ପ୍ରଚାର ଉପରେ ପ୍ରାଧାନ୍ୟ ଦେବାକୁ କହିଛନ୍ତି । ଢେଙ୍କାନାଳର ପ୍ରାକୃତିକ ବୈଭବ, ଧର୍ମ-ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଫଟୋଚିତ୍ର ମାଧ୍ୟମରେ ଦେଶ ତଥା ବିଶ୍ବରେ ପ୍ରଚାରିତ କରି ମାନବ ସମାଜକୁ ମାର୍ଗଦର୍ଶନ କରାଇବାକୁ ସେ ନିବେଦନ କରିଛନ୍ତି ।
ଆଜିର ଯୁଗରେ ଫଟୋଚିତ୍ରର ପ୍ରାମାଣିକ ମହତ୍ଵ ଖୁବ ଅଧୂକ, ଏହା ଆମର କଥା କହେ, ଆମକୁ ଚିହ୍ନାଏ, ଆମର ଉନ୍ନତିରେ ସହାୟକ ହୁଏ, ଏଣୁ ଗଣମାଧ୍ୟମର ବନ୍ଧୁମାନେ ସଂବାଦ ସହିତ ସକାରାତ୍ମକ ଫଟୋଚିତ୍ର ପ୍ରକାଶନ କଲେ ସାମଗ୍ରିକ ସମୃଦ୍ଧିରେ ସହାୟକ ହେବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ମତବ୍ୟକ୍ତ କରିଛନ୍ତି ।
ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଗଣମାଧ୍ୟମର ପ୍ରତିନିଧୂ ବନ୍ଧୁଗଣ ପ୍ରଚାର ପ୍ରସାର ନିମନ୍ତେ ଜିଲ୍ଲା ପ୍ରଶାସନକୁ ଆନ୍ତରିକତାର ସହ ପୂର୍ଣ୍ଣ ସହଯୋଗ କରୁଥିବାରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଫଟୋ ଓ ଭିଡ଼ିଓ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ସ୍ୱରୂପ ଦାସ, କାର୍ଯ୍ୟକାରୀ ସଭାପତି ଶ୍ରୀ ରତନ ନାୟର, ସାମ୍ବାଦିକ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଫଟୋଗ୍ରାଫର ଶ୍ରୀ ଶରତ କୁମାର ବେହେରା ପ୍ରମୁଖ ଫଟୋ ସମ୍ବାଦିକତାର ଉପଯୋଗୀତା ଓ ସୁଦୂର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ ।
ବୈଠକ ପ୍ରାରମ୍ଭରେ ସାମ୍ବାଦିକ ଶ୍ରୀ ଅଥୟ କୁମାର ସାହୁ ସମସ୍ତଙ୍କୁ ସ୍ବାଗତ କରି ଦିବସ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ଶ୍ରୀ ଅରବିନ୍ଦ ସାହୁ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ ।





