ବିମାନ ଦୁର୍ଘଟଣାରେ ୟେଭଗେନି ପ୍ରିଗୋଝିନଙ୍କ ମୃତ୍ୟୁ, ପୁଟିନଙ୍କ ବିରୋଧରେ କରିଥିଲେ ବିଦ୍ରୋହ
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଗତକାଲି ରୁଷରେ ହୋଇଥିବା ଏକ ବିମାନ ଦୁର୍ଘଟଣାରେ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପ୍ରିଗୋଝିନଙ୍କର ନାମ ବି ସାମିଲ ଥିବା ରୁଷ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଗତକାଲି ଏକ ପ୍ରାଇଭେଟ୍ ଜେଟ ମସ୍କୋରୁ ସେଣ୍ଟ ପିଟର୍ସବର୍ଗ ଯାଉଥିବା ବେଳେ ମଝି ଆକାଶରେ ବିମାନଟି ଦୁର୍ଘଟଣା ଶିକାର ହୋଇଥିଲା । ବିମାନରେ ମୋଟ ୭ ଯାତ୍ରୀଙ୍କ ସହ ୩ ଜଣ କ୍ରୁ ମେମ୍ବର ଥିଲେ । ଏହି ଦୁର୍ଘଟଣାରେ ପ୍ରିଗୋଝିନଙ୍କ ସମେତ ସମସ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରୁଷିଆର ବିମାନ ଚଳାଚଳ ବିଭାଗ ପକ୍ଷରୁ ଦୁର୍ଘଟଣା ନେଇ ସ୍ପଷ୍ଟ କରାଯାଇଛି ।




