ଅଟୋ ସହ ୯୫କି.ଗ୍ରା ଗଞ୍ଜେଇ ଜବତ, ଡ୍ରାଇଭର ଓ ସହଯୋଗୀ ଫେରାର।
ଅମ୍ବାଭୋନା -୦୯/୦୯/୨୦୨୩- ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅଧୀନସ୍ଥ ଭୁକ୍ତା -କପାଶିରା ରାସ୍ତା ରେ ଗତକାଲି ମଧ୍ୟାହ୍ନ ସମୟରେ କୌଣସି ସୂତ୍ରରୁ ଖବର ପାଇ ଅମ୍ବାଭୋନା ପୋଲିସ ଏକ ଯାତ୍ରୀବାହୀ କଳା ରଙ୍ଗର ଅଟୋ ନଂ -ଓ.ଡି. ୧୭ ଏ ୩୭୪୦ କୁ ପିଛା କରିଥିଲେ। ସଂପୃକ୍ତ ଅଟୋ ଡ୍ରାଇଭର ଏବଂ ତାଙ୍କର ସହଯୋଗୀ ଚତୁରତାର ସହ ଅଟୋ ଛାଡି ଚମ୍ପଟ ମାରିଥିଲେ। ଘଟଣା ସ୍ଥଳକୁ ଅମ୍ବାଭୋନା ଥାନାଧିକାରୀ ବୁଲୁ ମୁଣ୍ଡା ଓ ଷ୍ଟାଫ ପହଞ୍ଚି ଅଟୋ ଜବତ କରିବା ସହ ୯୫କି.ଗ୍ରା ୧୯୦ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି।ଏ ନେଇ ଅମ୍ବାଭୋନା ପୋଲିସ ୧୮୧/୨୦୨୩ ରେ ଏନ.ଡି.ପି.ଏସ ଆଇନ ର ଧାରା ୨୦ (ବି),ii(ସି) ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛନ୍ତି।ଗତ ଜୁଲାଇ ମାସରେ ଅମ୍ବାଭୋନା ପୋଲିସ ୭୦କି.ଗ୍ରା ଗଞ୍ଜେଇ ଜବତ କରିବା ସହ,୨ଲକ୍ଷ ଟଙ୍କା ଓ ମୋବାଇଲ ଓ ଏକ ପିକଅପ ଜବତ କରିଥିବା ବେଳେ, ଅଗଷ୍ଟ ମାସରେ ୧ କ୍ଯୁଣ୍ଟାଲ ୧୫ କି.ଗ୍ରା ଗଞ୍ଜେଇ ସହ ଏକ ଆର୍ଟିକା କାର୍ ଜବତ କରିବାରେ ସକ୍ଷମ ହୋଇଛନ୍ତି। ଗତକାଲି ଏକ ଯାତ୍ରୀବାହୀ ଅଟୋ ସହ ୯୫କି.ଗ୍ରା ଗଞ୍ଜେଇ ଜବତ କରିବାରେ ଅମ୍ବାଭୋନା ପୋଲିସକୁ ସଫଳତା ମିଳିଛି । ପ୍ରତିମାସରେ ବେଆଇନ ଗଞ୍ଜେଇ ଜବତ କରିବା ସହ ନିଶା ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅମ୍ବାଭୋନା ପୋଲିସ ପ୍ରାଣମୁର୍ଛା ଉଦ୍ୟମ ଚଳାଇଛି।




