ଭୂବନେଶ୍ୱର, ୦୪/୧୧ : ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜଧାନୀ ଭୁବନେଶ୍ବରରେ ସମାରୋହ ଅନୁଷ୍ଠିତ ହେବ । ଏହା ସହିତ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।
ହରେକୃଷ୍ଣ ମହତାବ ଜଣେ ଜାତୀୟତା ବାଦୀ ନେତା ଥିଲେ। ଡଃ ମହତାବଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ଗୁଡିକରେ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଆଜି ରାଜ୍ୟ ଅତିଥି ଭବନରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଡକ୍ଟର ମହତାବଙ୍କ ଜୟନ୍ତୀ ପାଳନ ପାଇଁ ଗଠିତ ଶୀର୍ଷ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ନଭେମ୍ବର ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୮୭ ଜାନୁଆରୀ ୨ ତାରିଖରେ ତାଙ୍କର ପରଲୋକ ଘଟିଥିଲା।ଡଃ ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲାର ଅଗରପଡ଼ା ଠାରେ ଏକ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା, ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଯିବ। ଭୁବନେଶ୍ୱରରେ ନଭେମ୍ବର ୨୩, ୨୪ ଏବଂ ୨୫ ତାରିଖରେ ଡକ୍ଟର ମହତାବଙ୍କର କୃତି ସମ୍ପର୍କିତ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଡଃ ମହତାବ ଜଣେ ଜାତୀୟତାବାଦୀ ନେତା ଥିଲେ। ତେଣୁ ଦଳମତ ନିର୍ବିଶେଷରେ ତାଙ୍କର ଜୟନ୍ତୀକୁ ଅତ୍ୟନ୍ତ ସୁନ୍ଦର ଓ ପ୍ରଭାବଶାଳୀ ଭାବରେ ଏକ ବର୍ଷ ବ୍ୟାପୀ ପାଳନ କରାଯିବ।
ସେ କହିଲେ ଯେ ୨୦୩୬ରେ ସ୍ବତନ୍ତ୍ର ଓଡିଶା ୧୦୦ ବର୍ଷ ପୂରଣ କରିବ। ତେଣୁ, ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ସର୍ବଶ୍ରେଷ୍ଠ ଅବଦାନ ରଖିଥିବା ବରପୁତ୍ର ମାନଙ୍କ ମଧ୍ୟରେ ଡଃ ମହତାବଙ୍କ ନାମ ମଧ୍ୟ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଡଃ ମହତାବଙ୍କ ଉପରେ ଯେଉଁମାନେ ଗବେଷଣା କରୁଛନ୍ତି ସେମାନଙ୍କୁ ଅଧିକ ସୁଯୋଗ ଦିଆଯାଇ ତାଙ୍କ ଜୀବନର ଅନେକ ଅନାଲୋଚିତ ତଥ୍ୟ ଜନମାନସକୁ ଅଣାଯିବ। ଡଃ ମହତାବଙ୍କ ଅନେକ ପୁସ୍ତକକୁ ହିନ୍ଦୀ, ଇଂରାଜୀ ସହିତ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାରେ ମଧ୍ୟ ପୁନଃ ପ୍ରକାଶିତ କରାଯିବ। ଏହା ସହିତ ଡଃ ମହତାବଙ୍କ ଅବଦାନ ସମ୍ପର୍କରେ ବହୁ ସଂସ୍କରଣ ବିଶିଷ୍ଟ ପୁସ୍ତକ ମଧ୍ୟ ପ୍ରକାଶ କରାଯିବ।



