ଭୂବନେଶ୍ବର, ୦୪/୧୧ : ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ କଂଗ୍ରେସ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଏବଂ ତାଙ୍କୁ ସହାୟତା କରିବା ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ମୀନାକ୍ଷୀ ନଟରାଜନ । ପିସିସି ସଭାପତି ମନୋନୟନ ନେଇ ପ୍ରଦେଶ କଂଗ୍ରେସ ନେତାଙ୍କ ପାଖରୁ ମତାମତ ଲୋଡିବେ । ଚରଣ ଦାସ ରାୟପୁରରୁ ଏବଂ ମୀନାକ୍ଷୀ ଦିଲ୍ଲୀରୁ ବିମାନ ଯୋଗେ ଆଜି ଭୁବନେଶ୍ବର ଆସିବା କାର୍ଯ୍ୟକ୍ରମ ରହିଛି।
ଉଭୟ ନେତା ମଧ୍ୟାହ୍ନରେ କଂଗ୍ରେସ ଭବନରେ ପ୍ରଥମେ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ବୈଠକ କରିବେ। ପରେ ଷ୍ଟିୟରିଂ କମିଟି ସଦସ୍ୟଙ୍କ ପାଖରୁ ଜଣ ଜଣ କରି ପିସିସି ସଭାପତି ମନୋନୟନ ସଂକ୍ରାନ୍ତରେ ମତାମତ ଲୋଡିବେ । ଏହାପରେ କଂଗ୍ରେସ ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ, ସାଂସଦ ପ୍ରାର୍ଥୀ, ଜିଲା ସଭାପତି ଏବଂ ବ୍ଲକସ୍ତରୀୟ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତି ଘୋଷଣା ପୂର୍ବରୁ ତାଲିକାରେ ଥିବା ଆଶାୟୀମାନେ ନିଜ ନିଜ ସମର୍ଥନ ଯୋଗାଡରେ ଲାଗି ପଡିଛନ୍ତି। କିଏ ଜିଲା ସଭାପତିଙ୍କୁ ଫୋନ କରି ନିଜ ସପକ୍ଷରେ ମତାମତ ଦେବାକୁ କହୁଛନ୍ତି ତ ଆଉ କିଏ ବ୍ଲକସ୍ତରୀୟ ନେତାଙ୍କୁ ନିଜ ସପକ୍ଷରେ ଟାଣିବାକୁ ଯୋଗାଯୋଗରେ ଅଛନ୍ତି।



