ଭୂବନେଶ୍ବର, ୦୫/୧୨ : ଓଡ଼ିଶାର ଦୁଇଟି ଜିଲ୍ଲାରୁ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ଆଜି ଗୃହରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଏବଂ ଉପାସନା ମହାପାତ୍ର ଦୁହେଁ ଓଡିଶାରେ ଖଣିର ସନ୍ଧାନ କେଉଁ ଜିଲ୍ଲାରେ ମିଳିଛି ସବିଶେଷ ତଥ୍ୟ ମାଗିଥିବା ବେଳେ ଏନେଇ ମନ୍ତ୍ରୀ କହିଥିଲେ, ଦେବଗଡ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ୱାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି ।
କେଉଁଝର ଜିଲ୍ଲାର ଗୋପୁର- ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ଖଣିର ଖୋରାକ ମିଳିଥିବା ବେଳେ ସେ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଏବଂଓ ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି । ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।



