ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନୁଗୋଳ/ତାଳଚେର -୧୪/୦୧ – ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଳକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ଜନଶୁଣାଣି ଶିବିରରେ ସମୁଦାୟ ୨୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୧୩ଟି ବ୍ୟକ୍ତିଗତ ଓ ୧୪ଟି ଗ୍ରାମ୍ୟଭିଭିକ ଅଭିଯୋଗର ଶୁଣାଣି ହୋଇଥିବାବେଳେ ୪ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବାରିକ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଶ୍ରୀ ଶିବାଶିଷ କାନୁନଗୋ, ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ.ନିରୋଦ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ରଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ସେହିପରି ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏହି ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଏହି ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ ।



