ଭୂବନେଶ୍ୱର, ୩୧/୦୧ : ସରସ୍ବତୀ ପୂଜା ତାରିଖ ଦ୍ବନ୍ଦ୍ବ ଦୂର କଲେ ଶ୍ରୀମନ୍ଦିର ପ୍ରଶାସନ। ଫେବ୍ରୁଆରୀ ୨ ତାରିଖରେ ପାଳିତ ହେବ ସରସ୍ବତୀ ପୂଜା । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ଫେବୃୟାରୀ ୨ କି ୩ ରେ ପବିତ୍ର ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ହେବ ତାକୁ ନେଇ ଦ୍ବନ୍ଦ୍ୱ ଦେଖାଦେଇଥିଲା । ଭିନ୍ନ ଭିନ୍ନ ପାଞ୍ଜିରେ ରହିଛି ଭିନ୍ନ ଭିନ୍ନ ଆକଳନ ।
ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତି ପ୍ରାପ୍ତ ରାଧାରମଣ ପାଞ୍ଜିରେ ଉଭୟ ୨ ଓ ୩ ରେ ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ଓ ରଥ କାଠ ଅନୁକୂଳ ନେଇ ଉଲ୍ଲେଖ ରହିଛି । ଶାସ୍ତ୍ର ଅନୁଯାୟୀ ଷଷ୍ଠୀ ଯୁକ୍ତ ପଞ୍ଚମୀ ତିଥିରେ ହିଁ ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ହେବା କଥା । ତେବେ ରିକ୍ତା ତିଥି ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ଗ୍ରହଣୀୟ ନୁହେଁ । ଶ୍ରୀମନ୍ଦିର ପ୍ରଶାସନ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ତ୍ରୁଟି ପାଇଁ ଏଭଳି ଦ୍ବନ୍ଦ୍ୱ ଉପୁଜୁଥିବା ପାଞ୍ଜି ସମୀକ୍ଷକ କହିଛନ୍ତି କିନ୍ତୁ ନୀତି ପ୍ରଶାସକ ସ୍ପଷ୍ଟ କରିଛନ୍ତି ୨ ତାରିଖରେ ହିଁ ସରସ୍ବତୀ ପୂଜା ହେବ ।



