ଉତ୍ତରାଖଣ୍ଡ: ବଦ୍ରିନାଥ ଧାମର ଦ୍ୱାର ଚଳିତବର୍ଷ ମେ ୪ ତାରିଖରେ ସକାଳ ୬ଟାରେ ସାଧାରଣ ଭକ୍ତମାନଙ୍କ ପାଇଁ ଖୋଲାଯିବ । ବସନ୍ତ ପଞ୍ଚମୀରେ ତିହରୀ ରାଜ ଦରବାର ନରେନ୍ଦ୍ର ନଗରରେ ଶ୍ରୀ ଗଣେଶ ପୂଜାଙ୍କ ପୂଜା ସହ ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ବଦ୍ରିନାଥ ଧାମ ମନ୍ଦିରର ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି। ବିଧିବିଧାନ ସହ ପୂଜା ଅର୍ଚ୍ଚନା କରି ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଅ ମାସ ପରେ ମେ ୪ ତାରିଖରେ ମନ୍ଦିରର ଦ୍ବାର ଖୋଲାଯିବ ।
୨୨ ଏପ୍ରିଲରେ ଗାଡୁ ଘଡା (ପବିତ୍ର ତେଲ କଳଶ)ରେ ତେଲ ଢାଳିବାର ତାରିଖ ସ୍ଥିର କରାଯାଇଛି । ଭଗବାନ ବଦ୍ରି ବିଶାଳଙ୍କ ଅଭିଷେକ ଏବଂ ଅଖଣ୍ଡ ଜ୍ୟୋତି ପାଇଁ ୨୨ଏପ୍ରିଲରେ ନରେନ୍ଦ୍ର ନଗର ରାଜମହଲରେ ବିବାହିତ ମହିଳାମାନେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ତେଲ ଢାଳିବେ ।୧୭ ନଭେମ୍ବର ୨୦୨୪ରେ, ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଅବସ୍ଥିତ ବଦ୍ରିନାଥ ଧାମ ମନ୍ଦିରର ଦ୍ବାର ଶୀତକାଳୀନ ପାଇଁ ବନ୍ଦ କରାଯାଇଥିଲା । ଅନେକ ଭକ୍ତ ଏହାର ସାକ୍ଷୀ ହୋଇଥିଲେ।ଗତ ରବିବାର ଦିନ ନରେନ୍ଦ୍ର ନଗରର ରାଜଦରବାରରେ ବସନ୍ତ ପଞ୍ଚମୀରେ ରାଜ ପୂରୋହିତ ପ୍ରଭୁ ଗଣେଶ, ପଞ୍ଚାଙ୍ଗ ଏବଂ ଚୌକି ପୂଜା କରିବା ପରେ ମହାରାଜା ମନୁଜ୍ୟେନ୍ଦ୍ର ଶାହଙ୍କ ଜନ୍ମ କୁଣ୍ଡଳୀ ଅଧ୍ୟୟନ କରିବା ସହ ଗ୍ରହଗୁଡ଼ିକର ସ୍ଥିତି ଦେଖିଥିଲେ । ଏହାପରେ ପ୍ରଭୁ ଶ୍ରୀ ବଦ୍ରିନାଥ ମନ୍ଦିରର ଦ୍ୱାର ଖୋଲିବାର ତିଥି ଘୋଷଣା କରିଥିଲେ ।



