ପ୍ରଶାସନିକ ଅବହେଳା: ବନବାସୀ ଚାଷୀ ଙ୍କୁ ଶୋଷଣ କରୁଛନ୍ତି ବେପାରୀ : ଉପଯୁକ୍ତ ଥଇଥାନ କରିବାକୁ ଦାବି
କନ୍ଧମାଳ, (ସୁଶୀଲ କୁମାର ପାଣିଗ୍ରାହୀ): ପ୍ରଶାସନିକ ଅବହେଳା କାରଣରୁ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ଆଦିବାସୀ ଅଧୁଷିତ ବନବାସୀ ମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ଆସୁଥିବା ବନବାସୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ସେମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ବାଲିଗୁଡା ବ୍ଲକର ବଣପାହାଡ଼ ଘେରା ତଥା ଦୁର୍ଗମ ଅଞ୍ଚଳରୁ ଅନେକ ବନବାସୀ ସେମାନଙ୍କ ଉତ୍ପାଦିତ ବା ସଂଗୃହିତ ବନଜାତ ଦ୍ରବ୍ୟ ଯଥା ଦାନ୍ତକାଠି, ପତ୍ର, ଫଳମୂଳ, ପନିପରିବା, ଔଷଧୀୟ ଜଡିବୁଟି ଆଦି ଆଣି ବାଲିଗୁଡା ସହରର ବିଭିନ୍ନ ସ୍ଥାନରେ ବସି ବିକ୍ରି କରିଥାନ୍ତି। ବିକ୍ରିବଟା କରିବା ପରେ ପଇସା ସହିତ ତେଲ ଲୁଣ, ଲୁଗାପଟା ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ଘରକୁ ଫେରନ୍ତି। କେହି କେହି ସପ୍ତାହରେ ଥରେ ଶନିବାର ସାପ୍ତାହିକ ହାଟ ଦିନରେ ଆସିଥାନ୍ତି ତ କେହି ୨/୩ ଦିନରେ ଥରେ ଆସିଥାନ୍ତି। କେହି ଏକୁଟିଆ ଆସିଥାନ୍ତି ତ କେହି ଦଳ ଦଳ ହୋଇ ଆସିଥାନ୍ତି। ଏଭଳି ସବୁଦିନିଆ ଘଟଣା ଦେଖିବାକୁ ମିଳିଥାଏ। ଏହି ବନବାସୀ ମାନେ ବିଶେଷ କରି ବସ୍, ଜିପ୍ ତଥା ଅଟୋରେ ଭଡ଼ା ଦେଇ ଆସିଥାନ୍ତି। ପାହାଡ଼ିଆ ସାମଗ୍ରୀ ପ୍ରାକୃତିକ ପରିବେଶରେ ହେଉଥିବାରୁ ଏବଂ ବିନା ସାରରେ ହେଉଥିବାରୁ ଏହାର ଚାହିଦା ଅଧିକ ଥାଏ। ସକାଳ ହେଲେ ଅନେକ ଲୋକ ଅପେକ୍ଷା କରିଥାନ୍ତି ଏହି ବନଜାତ ଦ୍ରବ୍ୟ କିଣି ଘରକୁ ନେଇଥାନ୍ତି। କିନ୍ତୁ ଅନେକ ସମୟରେ ବନବାସୀମାନେ ବେପାରୀଙ୍କ ଦ୍ୱାରା ଠକାମିର ଶୀକାର ହୋଇଥାନ୍ତି। ଖାଉଟିମାନେ ମଧ୍ୟ ସେହି ସାମଗ୍ରୀକୁ ବେପାରୀ ଙ୍କ ଠାରୁ ଅଧିକ ଦାମ୍ରେ କିଣି କ୍ଷତିଗ୍ରସ୍ତ ହୋଇଥାନ୍ତି। ଏଣୁ ଅନେକ ସମୟରେ ବନବାସୀ-ବେପାରୀ ଏବଂ ଖାଉଟି-ବେପାରୀଙ୍କ ମଧ୍ୟରେ ବିବାଦ ଉପୁଜିଥାଏ। ଆଦିବାସୀଙ୍କୁ ବେପାରୀଙ୍କ ଶୋଷଣରୁ ମୁକ୍ତ କରିବା ପାଇଁ ପ୍ରଶାସନ କାୈଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଏହା ବୃଦ୍ଧି ପାଇବାରେ ଲାଗିଛି। ଏଣୁ ଏହାକୁ ରୋକିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରୁ ପ୍ରଶାସନ ଠାରେ ଦାବି କରିଛନ୍ତି। ବନବାସୀ ମାନେ ସହରରେ ବସି ସାମଗ୍ରୀ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ବିଶ୍ରାମ ଓ ପାନୀୟ ଜଳ ସୁବିଧା କରିବା, ସେମାନେ ସାଙ୍ଗରେ ଧରି ଆସୁଥିବା ଛୋଟ ଛୋଟ ପିଲାଙ୍କ ପାଇଁ କ୍ରେଚ ବ୍ୟବସ୍ଥା କରାଯାଇପାରିଲେ ସେମାନେ ଉପକୃତ ହେବା ସହ ଶୋଷଣରୁ ମୁକ୍ତ ହୋଇ ପାରିବେ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


