ଭୂବନେଶ୍ୱର, ୦୯/୦୨ : ଆଜି ବାରବାଟୀରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ଭାରତ-ଇଂଲଣ୍ଡ ମଧ୍ୟରେ ଜୋରଦାର ହେବ ଲଢ଼େଇ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସିରିଜ ବିଜୟ ସହ ମନୋବଳ ବଢାଇବାକୁ ପ୍ରୟାସ କରିବ । ଇଂଲଣ୍ଡ ମଧ୍ୟ କଡ଼ା ଟକ୍କର ଦେବାକୁ ଅପେକ୍ଷା କରିଛି । ୫ବର୍ଷ ପରେ ଓଡ଼ିଶାର କ୍ରିକେଟ୍ ପ୍ରେମୀ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାର ମଜା ଉଠାଇବା ପାଇଁ ବାରବାଟୀରେ ଡେରା ପକାଇଛନ୍ତି ।
ଚାମ୍ପିଅନ୍ସ ଟ୍ରଫି ଆଖି ଆଗରେ ରହିଥିବାରୁ ଭାରତ ଏହି ସିରିଜ ଜରିଆରେ ସମସ୍ତ ଖେଳାଳିଙ୍କୁ ଅଳ୍ପ ବହୁତ ଅଭ୍ୟାସ ସୁଯୋଗ ଦେବାକୁ ଯୋଜନା କରୁଛି । ସମସ୍ତଙ୍କ ନଜର ସିନିୟର ଖେଳାଳିଙ୍କ ଉପରେ ରହିବ। ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫର୍ମ ଫେରିପାଇବା ଜରୁରି । ତେଣୁ ସେମାନଙ୍କ ପ୍ରଦର୍ଶନକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିବେ । ପ୍ରଥମ ମ୍ୟାଚ୍ରେ ବିସ୍ଫୋରକ ଅର୍ଦ୍ଧଶତକ ପରେ ଶ୍ରେୟାସ ଆୟର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ସତ କହିବାକୁ ଗଲେ ଆୟର ଦିନିକିଆ ଫର୍ମାଟ୍ରେ ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ । ଗତ ଦିନିକିଆ ବିଶ୍ୱକପ୍ରେ ତାଙ୍କ ପ୍ରଦର୍ଶନ ଏହା ପ୍ରମାଣ କରୁଛି । ତେଣୁ ସେ ଏକାଦଶରେ ସ୍ଥାନ ବଜାୟ ରଖିବା ଜରୁରି । ଇଂଲଣ୍ଡ ବ୍ୟାଟରଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ଭାରତୀୟ ସ୍ପିନର । ଏହି ଗସ୍ତରେ ସେ ୬ଟି ମ୍ୟାଚ୍ (ଟି-ଟ୍ୱେଣ୍ଟି ସିରିଜକୁ ମିଶାଇ)ରୁ ମାତ୍ର ୯୧ ରନ୍ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ବର୍ତ୍ତମାନ ତାଙ୍କ ଫର୍ମକୁ ନେଇ ଚିନ୍ତାରେ ରହିଛି ।
ଭାରତୀୟ ଦଳର ୩ ସିନିୟର ବ୍ୟାଟର ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ପାଇଁ ବାରବାଟୀ ଷ୍ଟାଡ଼ିୟମ୍ ‘ଲକି’ ସାବ୍ୟସ୍ତ ହୋଇପାରେ । ବର୍ତ୍ତମାନ ଏହି ୩ ଖେଳାଳି ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ଏଥର ମଧ୍ୟ ବାରବାଟୀ ତାଙ୍କ ସାଥ୍ ଦେବ ବୋଲି ଆଶା କରାଯାଇପାରେ । ବାରବାଟୀ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଉଭୟ ଦଳ ଶେଷ ଥର ପାଇଁ ୨୦୧୭ରେ ଏଠାରେ ପରସ୍ପରକୁ ଭେଟିଥିଲେ । ଭାରତ ଏହି ମ୍ୟାଚ୍ ଜିତିଥିଲେ ହେଁ ମୋଟ୍ ୭୪୭ ରନ ସଂଗୃହୀତ ହୋଇଥିଲା । ଭାରତର ୬/୩୮୧ ରନ ଜବାବରେ ଇଂଲଣ୍ଡ ୮/୩୬୬ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଯୁବରାଜ ସିଂହ ୧୫୦ ଓ ମହେନ୍ଦ୍ର ସିଂହ ଧୋନି ୧୩୪ ରନ୍ର ଇନିଂସ ଖେଳିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ଇୟନ ମୋର୍ଗାନ ୧୦୨ ରନ୍ ସଂଗ୍ରହ କରିଥିଲେ । ବାରବାଟୀରେ ଶେଷ ଥର ପାଇଁ ୨୦୧୯ରେ ଏକ ଦିନିକିଆ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ମଧ୍ୟ ୬୩୧ ରନ ସଂଗୃହୀତ ହୋଇଥିଲା । ରାତ୍ରିରେ କାକର ପ୍ରଭାବ ହେତୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।



