ଭୂବନେଶ୍ୱର, ୨୧/୦୨ : ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ରାଜ୍ୟର ୩୧୩୩ ଟି ସେଣ୍ଟରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆଜି ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି ।
ଗତକାଲି ଠାରୁ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପହଞ୍ଚି ସାରିଛି । ଯେଉଁ ଦିନ ଯେଉଁ ବିଷୟ ପରୀକ୍ଷା ଥିବ ସେଦିନ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ସାଢ଼େ ୭ ରୁ ସାଢ଼େ ୮ ମଧ୍ୟରେ ପହଞ୍ଚିବ । ୩୧୪ ନୋଡାଲ ସେଣ୍ଟର ଓ ୩୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଦେଖିବା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ରୁମ । ଏଠାରୁ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଟିକିନିଖି ଦେଖି ପାରିବେ ବୋର୍ଡ କର୍ତ୍ତୃପକ୍ଷ । ପ୍ରତି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବାର ଉଦ୍ୟମ କରାଯାଇଛି । ପ୍ରତି ପରୀକ୍ଷା କେନ୍ଦ୍ରରେ ଲାଗିଛି ୧୦ ଟି ସିସିଟିଭି କ୍ୟାମେରା ।



