ନୂଆଦିଲ୍ଲୀ: ସାମରିକ ବଳକୁ ଆହୁରି ଶକ୍ତିଶାଳୀ କରିବ ଭାରତ। ୧୫୬ ଟି ଲଢୁଆ ଯୁଦ୍ଧ ହେଲିକପ୍ଟର ପ୍ରଚଣ୍ଡ କିଣିବ ଭାରତ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ରୁ ୧୫୬ ଟି ସ୍ୱଦେଶୀ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ କିଣିବ ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନା (IAF)। ଏଥିପାଇଁ ଦେଶର ବଡ଼ ପ୍ରତିରକ୍ଷା ଡିଲ୍କୁ ଅନୁମୋଦନ ମିଳିଛି ।
୨ ଲକ୍ଷ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ତେବେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ପାଇଁ ଏହା ବଡ଼ ଡିଲ୍ । କର୍ଣ୍ଣାଟକର ବେଙ୍ଗଳୁରୁ ଓ ତୁମକୁର ପ୍ଲାଣ୍ଟରେ ନିର୍ମାଣ ହେବ ଏହି ବିମାନ ।ପ୍ରଚଣ୍ଡ ହେଲିକପ୍ଟର ସିଆଚୀନ୍ ଗ୍ଲାସିଅର୍ ଏବଂ ପୂର୍ବ ଲଦାଖ ପରି ଉଚ୍ଚତମ ଅଞ୍ଚଳରେ ଶତ୍ରୁଙ୍କୁ ଆକ୍ରମଣ କରିବା ପାଇଁ ସକ୍ଷମ। ପ୍ରଚଣ୍ଡର ଓଜନ ୫.୮ ଟନ୍। ଏହା ହେଉଛି ପ୍ରଥମ ସ୍ୱଦେଶୀ ଉତ୍ପାଦିତ ହାଲୁକା ଯୁଦ୍ଧ ହେଲିକପ୍ଟର, ଯାହା ୨୦ ମିଲିମିଟର ବନ୍ଧୁକ, ୭୦ ମିଲିମିଟର ରକେଟ୍ ସିଷ୍ଟମ୍ ଏବଂ ଏୟାର-ଟୁ-ଏୟାର ମିସାଇଲ୍ ସହିତ ଖଞ୍ଜାଯାଇଛି। ୪୫% ସ୍ୱଦେଶୀ ମ୍ୟଟେରିଆଲ ପ୍ରଚଣ୍ଡ ହେଲିକପ୍ଟରରେ ବ୍ୟବହୃତ ହୋଇଛି। ଏହାକୁ ବିଶ୍ୱର ନିଜ ଓଜନ ବର୍ଗର ଏକମାତ୍ର ଯୁଦ୍ଧ ହେଲିକପ୍ଟର ଭାବରେ ବିବେଚନା କରାଯାଏ। ଯାହା ୫ ହଜାର ମିଟର ବା ୧୬୪୦୦ ଫୁଟ ଉଚ୍ଚତାରେ ଯଥେଷ୍ଟ ଓଜନ ସହିତ ଅବତରଣ ଓ ଉଡାଣ ଭରିପାରିବ। ଏଥିରେ ଅସ୍ତ୍ରଶସ୍ତ୍ର ସହିତ ଇନ୍ଧନ ମଧ୍ୟ ରହିଛି।



