ଭୂବନେଶ୍ବର: ଗ୍ରୀଷ୍ମ ପ୍ରବାହ ପାଇଁ ବନ୍ଦ ଘୋଷଣା କଲେ ସରକାର । ଆଜିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ । ତାପମାତ୍ରା ବୃଦ୍ଧି ଯୋଗୁଁ ପିଲାମାନେ ଯେପରି ଅସୁବିଧାରେ ନପଡନ୍ତି ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାଥାଉକି ମଙ୍ଗଳବାର ଝାରସୁଗୁଡ଼ାରେ ରେକର୍ଡ ତାତି ହୋଇଛି । ଝାରସୁଗୁଡ଼ାରେ ୪୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ରହିଛି । ଏହାକୁ ନଜରରେ ରଖି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ୨୩ରୁ ୨୫ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ ।ସେହିଭଳି ଏପ୍ରିଲ ମାସର ଝାରସୁଗୁଡ଼ା ତାତି ୧୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ପୂର୍ବରୁ ୨୦୧୦ ଏପ୍ରିଲ ୨୦ରେ ଝାରସୁଗୁଡ଼ା ତାତି ୪୬.୧ ରହିଥିଲା।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ଏପ୍ରିଲ ୨୩ ରୁ ୨୫ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ୍ ବନ୍ଦ ରହିବ। ଏହି ନିଷ୍ପତ୍ତି ଗ୍ରୀଷ୍ମ ପ୍ରକୋପ ଏବଂ ହିଟ୍ଷ୍ଟ୍ରୋକ୍ ଆଶଙ୍କାକୁ ନଜରରେ ରଖି ନିଆଯାଇଛି। ଜିଲ୍ଲାପାଳ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେପରି ପାଣି ଅଧିକ ପିଇବା, ଗରମରୁ ସୁରକ୍ଷା ଓ ମଧ୍ୟାହ୍ନ ସମୟରେ ବାହାରକୁ ନ ବାହାରିବା।ଏହା ସହିତ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗ ସହିତ ମିଳିତ ଭାବେ ଜନସାଧାରଣଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଶୀତଳ ପାନୀୟ ଜଳ ବଣ୍ଟନ ଓ ସାମୟିକ ଶୀତଳ ଆଶ୍ରୟ କେନ୍ଦ୍ର ଖୋଲାଯାଇଛି।



