ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପିତା
ତାଳଚେର, ୦୪/୦୫ ତାଳଚେର ଉପଖଣ୍ଡ ଶିବରାମପୁର ଗ୍ରାମ ନିକଟସ୍ଥ ଜଳଙ୍ଗଲରୁ ଆଜି ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହିତ ସେହି ନିକଟରୁ ଏକ ସ୍କୁଟି ନମ୍ବର ଓଡ଼ି ୩୫-ଜି- ୯୫୨୬ ଜବତ କରାଯାଇଛି । ଏହି ଘଟଣାକୁ ନେଇ ସେହି ଅଂଚଳରେ ଆଲୋନଡ଼ ସୃଷ୍ଟି କରିଛି । ସୂଚନାଯୋଗ୍ୟ, ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଗ୍ରାମର ବିଶ୍ୱଜିତ୍ ନାଏକ ଏପ୍ରିଲମାସ ୨୭ ତାରିଖରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଏସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ କୋଲିୟରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରିବାପରେ ତଦନ୍ତ ଚଳାଇଥିଲେ ମଧ୍ୟ ପୋଲିସ୍ର ନିଷ୍କ୍ରିୟତା ଯୋଗୁଁ ଏହାର କୌଣସି ସୂରାକ୍ ମିଳିପାରିନଥିଲା ବୋଲି ମୃତ ଯୁବକଙ୍କ ପିତା ଏହା ପ୍ରକାଶ କରିଛନ୍ତି । ମାତ୍ର ବିଡ଼ମ୍ବନାର ବିଷୟ ଦଶଦିନ ପରେ ଯୁବକଙ୍କ ମୃତଦେହ ଆଜି ଶିବରାମପୁର ଗ୍ରାମ ଜଙ୍ଗଲରୁ ଠାବ କରାଯିବା ସହ ସ୍କୁଟିକୁ ଜବତ କରାଯାଇଛି । ପୁଅକୁ ହତ୍ୟା କରାଯାଇଛି ବୋଲି ବାପା ଅଭିଯୋଗ କରିବା ସହିତ ଦୋଷୀକୁ କୋଠର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି । ତେବେ ତାଳଚେର ଉପଖଣ୍ଡ ଅଂଚଳରେ ଗୋଟାଏ ଗୋଟାଏ ପରେ ହୃଦୟବିଦାରକ ଘଟଣା ଘଟି ଚାଲିଥବା ମଧ୍ୟ ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ କରୁଛି ।



