ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ,ତା. ୨୦/୦୫:- ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ଅନୁଗୋଳ ଗସ୍ତରେ ଆସି ଆଜି ସୋମବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ବିଭାଗର ଊନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ମାନ୍ୟବର ମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଛ ପ୍ରଦାନ କରି ସ୍ବାଗତ କରିଥିଲେ । ଏହି ସମୀକ୍ଷା ବୈଠକରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦୀପ ଗଡନାୟକ ଯୋଗ ଦେଇଥିଲେ । ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ଯୋଗାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ପୁର୍ତ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ଜିଲ୍ଲା ଖଣିଜ ପାଣ୍ଠି, ପ୍ରାଣୀ ସମ୍ପଦ, କୃଷି, ଉଦ୍ୟାନ କୃଷି,ଗ୍ରାମ୍ୟ ଗୃହ ନିର୍ମାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଓଡିଶା ଜିବୀକା ମିଶନ, ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା, ଶ୍ରମ, ଦକ୍ଷତା ବିକାଶ,ଓରମାସ, କ୍ରୀଡା, ଯୋଜନା ବିଭାଗ ଆଦି ସମ୍ପର୍କରେ ସମୀକ୍ଷା କରିଥିଲେ । ସରକାରଙ୍କ ସମସ୍ତ ଯୋଜନା ଯେପରି ଜନସାଧାରଣ ମାନଙ୍କ ନିକଟରେ ପହଞ୍ଚିବ, ସେଥି ନିମନ୍ତେ ମାନ୍ୟବର ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ । ଏହାବ୍ୟତିତ ଚାଷୀମାନଙ୍କ ସମସ୍ୟା ସମାଧାନ ସହିତ ସେମାନଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ କହିଥିଲେ । ଇ-କେଓ୍ୱାସି, ଗୋଦାମ ଗୃହ, ବିଦ୍ୟାଳୟ ଗୁଡିକରେ କିଚେନ ଗାର୍ଡେନ ପ୍ରସ୍ତୁତ କରିବା, ବିଦ୍ୟାଳୟରେ ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ, ସ୍ବାସ୍ଥ୍ୟ ବିଭାଗରେ ଡାକ୍ତର ନିଯୁକ୍ତ, ପାନୀୟ ଜଳ ଯୋଗାଣ, ରାସ୍ତା ସଂଯୋଗୀକରଣ, ଜଳସେଚନ ତଥା ଜିଲ୍ଲାର ବିଭିନ୍ନ ଉନ୍ନୟନ ବିଷୟରେ ଆଲୋଚନା କରିଥିଲେ । ଏହାବ୍ୟତିତ ସରକାରୀ ଜମିକୁ ଜବର ଦଖଲ ମୁକ୍ତ କରିବା ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତିଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।




