ତାଳଚେର ରୁ ଚାଇଁପାଳ ଗ୍ରିଡ ତଥା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନ୍ୟତ୍ର ଉଠି ଯିବା ନେଇ ମହେଶ ସାହୁ ଙ୍କ ଆନ୍ଦୋଳନ ଚେତାବନୀ
ତାଳଚେର ୭/୬ ତାଳଚେର ରୁ ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟ ଅନ୍ୟତ୍ର ଚାଲିଯିବା କୁ ନେଇ ତାଳଚେର ବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ତାଳଚେର ଶିଳ୍ପାଞ୍ଚଳ ରେ ବିଭିନ୍ନ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ବେଳେ କିଛି ନୂତନ କାର୍ଯ୍ୟାଳୟ ଆସିବା ପ୍ରତି ବଦଳରେ ଏଠାରେ କେଉଁ କାଳରୁ ସ୍ଥାପିତ କାର୍ଯ୍ୟାଳୟ ଗୁଡିକ ଗୋଟିଏ ପରେ ଗୋଟିଏ ଅନ୍ୟତ୍ର ଉଠି ଯିବାରେ ଲାଗିଛି । ଏଥିନେଇ ଢ଼େଙ୍କାନାଳ ର ପ୍ରାକ୍ତନ ସାଂସଦ ମହେଶ ସାହୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ବିଭିନ୍ନ କାର୍ଯ୍ୟାଳୟ ଗୁଡିକ ଏଠାରୁ ଚାଲିଯିବାକୁ ନା ପସନ୍ଦ କରିଛନ୍ତି । କାରଣ ତାଳଚେର ଚାଇଁପାଳ ଠାରେ ଅବସ୍ଥାପିତ ଥିବା ବିଦ୍ୟୁତ ବିଭାଗର ଗ୍ରିଡି କାର୍ଯ୍ୟାଳୟ କୁ ଅନୁଗୋଳ କୁ ଉଠାଇ ନିଆଯାଇଛି । ଫଳରେ ଏଠାରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଟି ଏଠାରେ ଆଉ କାର୍ଯକାରୀ ହେଉ ନାହିଁ । କେବଳ ଏସ ଡି ଓ ଓ ଜେ ଇ ମାନେ ଚାଇଁ ପାଳ ଠାରେ ଥିବା କାର୍ଯ୍ୟାଳୟ କୁ ନିୟନ୍ତ୍ରଣ କରିବେ । ଏଠାରେ ସୂଚନା ଯୋଗ୍ୟ ଯେ ତାଳଚେର ରୁ ସେଲଟାକ୍ସ କାର୍ଯ୍ୟାଳୟ , ଲ୍ୟାଣ୍ଡ ଆକୁଜିସେନ୍ କାର୍ଯ୍ୟାଳୟ , ଅତିରିକ୍ତ ଏସ ପି କାର୍ଯ୍ୟାଳୟ , ଆଂଶିକ ଭାବେ ଡି ଆଇ ଜି କାର୍ଯ୍ୟାଳୟ ଭଳି ଗୁରୁତ୍ୱ ପୂର୍ଣ୍ଣ ଅଫିସ ପୂର୍ବରୁ ଉଠିଯାଇ ସାରିଛି । ଏବେ ଦୁଇ ସପ୍ତାହ ତଳେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଟି ମଧ୍ୟ ଅନୁଗୁଳ କୁ ଉଠିଯିବା ଜଣା ପଡ଼ିବା ପରେ ତାଳଚେର ରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଢ଼େଙ୍କାନାଳ ର ପ୍ରାକ୍ତନ ସାଂସଦ ମହେଶ ସାହୁ ଏହାକୁ ବିରୋଧ କରିବା ସହ ଶୀଘ୍ର ନିଷ୍ପତ୍ତି ପରିବର୍ତ୍ତନ କରି ଉକ୍ତ କାର୍ଯ୍ୟାଳୟ କୁ ସେହି ପୁରୁଣା ସ୍ଥାନରେ ରହୁ ନତୁବା ତାଳଚେର ରେ ବିଦ୍ୟୁତ୍ ବିଭାଗର ଥିବା ଯେକୌଣସି ଅନ୍ୟ ଏକ ସ୍ଥାନରେ ଚାଲୁ କରାଯାଉ ,ନଚେତ ଏହାକୁ ନେଇ ଶ୍ରୀ ସାହୁ ତାଳଚେର ବାସୀଙ୍କ ପକ୍ଷରୁ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।।



