କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୪୭ ମସିହା ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜ୍ମେର ନିକଟବର୍ତ୍ତୀ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ଭାରତୀୟ ନାଗରିକଙ୍କ ମିଳିତ ପ୍ରତିବଦ୍ଧତା ରହିଛି ଏବଂ ଏହି ପ୍ରତିଜ୍ଞା ନିଶ୍ଚିତ ରୂପେ ପୂରଣ ହୋଇପାରିବ ।
ଯୁବବର୍ଗଙ୍କ ମଧ୍ୟରେ କଠିନ ପରିଶ୍ରମ, ଦୃଢ଼ ମନୋବଳ ଦ୍ୱାରା ବିକଶିତ ରାଷ୍ଟ୍ର ଗଠନ କରାଯାଇ ପାରିବ । ଶ୍ରୀ ପ୍ରଧାନ କହିଛନ୍ତି, ବିଶ୍ୱର ସ୍ଥିତି ପରିବର୍ତ୍ତନ ହେଉଛି ଏବଂ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହେଉଛି ।କେନ୍ଦ୍ର ମନ୍ତ୍ରୀ ଯୁବବର୍ଗଙ୍କୁ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାଲାଭ କରି ବଡ଼ ଉଦ୍ୟୋଗୀ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଚାକିରି ନ କରି ଅନ୍ୟ ଯୁବବର୍ଗଙ୍କୁ ଚାକିରି ଯୋଗାଇଦେବା ଲାଗି ସେ ଆହ୍ୱାନ ଦେଇଛନ୍ତି ।



