ନୂଆଦିଲ୍ଲୀ: ଜୁନ୍ ୨୦ ତାରିଖରୁ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଛି । ଏଥିରେ ଅଂଶଗ୍ରହଣ କରୁଥିବା ୩୬ ଜଣ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆଜି ସକାଳେ ସିକ୍କିମର ନାଥୁଲା ସୀମା ଦେଇ ଚୀନର ଟିଆରଏରେ ପ୍ରବେଶ କରିଛନ୍ତି । ରାଜ୍ୟପାଳ ଓମ୍ ପ୍ରକାଶ ମଥୁର ନାଥୁଲା ଠାରେ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରାର ଆରମ୍ଭ କରିଥିଲେ ।
ତାଙ୍କ ସହିତ ଉପବାଚସ୍ପତି ରାଜ କୁମାରୀ ଥାପା ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ ।ପାଞ୍ଚ ବର୍ଷର ବ୍ୟବଧାନ ପରେ, ସିକ୍କିମର ନାଥୁଲା ଗିରିପଥ ଦେଇ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି । ମାନସରୋବର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସୋମବାର ୩୬ ଜଣ ତୀର୍ଥଯାତ୍ରୀ (୨୩ ପୁରୁଷ ଏବଂ ୧୩ ମହିଳା)ଙ୍କ ଏକ ଦଳ ୧୮ ମାଇଲ ବେସକୁ ଯାତ୍ରା କରିଛି ।ପ୍ରଥମ ଦଳକୁ ବିଦାୟ ଦେବା ସମୟରେ, ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ଏବଂ ଆଇଟିବିପି ଏବଂ ସେନା କର୍ମଚାରୀଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କଲେ ।ସୂଚନାଯୋଗ୍ୟ, ୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ୨୦୨୦ ମସିହାରୁ ଯାତ୍ରାର ଉଭୟ ସରକାରୀ ମାର୍ଗ ଭାରତୀୟଙ୍କ ପାଇଁ ବନ୍ଦ ରହିଥିଲା । ଉଭୟ ଦେଶ ରସଂପର୍କରେ ଉନ୍ନତି ଆସିବା ପରେ ଗତ ଜାନୁଆରୀ ମାସରେ ପୁଣି କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ ।



