ରାଜ୍ୟସଭାରେ ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଦୃଢ଼ ସଫଳତମ ଏବଂ ନିର୍ଣ୍ଣାୟକ ଅପରେସନ୍ ସିନ୍ଦୂର ଉପରେ ବିଶେଷ ଆଲୋଚନା ହୋଇଛି । ସେମାନେ ଯଦି ନିରିହ ଲୋକଙ୍କ ଜୀବନ ନିହନ୍ତି ତେବେ ସେମାନଙ୍କ ଆଡ୍ଡାଗୁଡ଼ିକୁ ନଷ୍ଟ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ପହଲଗାମ୍ରେ ଆତଙ୍କବାଦୀମାନେ କାପୁରୁଷ ଭଳି ପର୍ଯ୍ୟଟକଙ୍କ ଉପରେ ଯେଉଁ ଆକ୍ରମଣ କରିଥିଲେ ଏହାର ପ୍ରତିଶୋଧ ସ୍ୱରୂପ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନକୁ ଏହାର ଉପଯୁକ୍ତ ଜବାବ ଦେଇ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛି ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଯଦି ପାକିସ୍ତାନ ଭବିଷ୍ୟତରେ କୌଣସି ଦୁଃସାହିକ କାର୍ଯ୍ୟ କରିବାକୁ ସାହସ କରେ ତେବେ ଦେଶ ଅପରେସନ୍ ସିନ୍ଦୂର ଅଭିଯାନକୁ ପୁଣି ଆରମ୍ଭ କରିବାକୁ ପଛଘୁଞ୍ଚା ଦେବ ନାହିଁ ।
ଭାରତ କେବେ ମଧ୍ୟ ପାକିସ୍ତାନର ପରମାଣୁ ଧମକ କିମ୍ବା ଅନ୍ୟାନ୍ୟ ଯୁଦ୍ଧ ରଣନୀତି ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ସେ କହିଛନ୍ତି । ସରକାର ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ କ୍ଷମତା ଦେବ ବୋଲି ସେ କହିଛନ୍ତି । ପ୍ରତିରକ୍ଷା ରପ୍ତାନୀ ବିଷୟରେ ରାଜ୍ୟସଭାରେ ଶ୍ରୀ ସିଂହ କହିଛନ୍ତି, ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ଚଳିତ ବର୍ଷ ପ୍ରାୟ ୧୦୦ଟି ଦେଶକୁ ରପ୍ତାନୀ କରାଯାଇଛି ।ଫଳରେ ପ୍ରତିରକ୍ଷା ରପ୍ତାନୀ ୩୦ ହଜାର କୋଟି ଟଙ୍କାରେ ପହଞ୍ôଚଛି, ଯାହା ୨୦୨୯ ସୁଦ୍ଧା ୫୦ ହଜାର କୋଟି ଟଙ୍କାରେ ପହଞ୍ôଚବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅପରେସନ୍ ସିନ୍ଦୂର ସମୟରେ ଅସ୍ତ୍ରବିରତି ଘୋଷଣା ପାଇଁ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାର ଜବାବ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଯୁଦ୍ଧବିରତି ଘୋଷଣା କୌଣସି ଚାପଗ୍ରସ୍ତ ହୋଇ ସରକାର କରିନଥିଲେ । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ମଧ୍ୟ କୌଣସି ଆଲୋଚନା କରିନଥିଲେ ବୋଲି ଶ୍ରୀ ସିଂହ କହିଛନ୍ତି ।



