ଭକ୍ତ ପରମାନନ୍ଦ ବେଶ ରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ
ଭଟଲି ( ଅଭିମନ୍ୟୁ ପଧାନ) :- ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ଦଧିବାମନ ଧାମ ଭଟଲି ଠାରେ ପବିତ୍ର ଶ୍ରାବଣ ପୂର୍ଣିମା ତଥା ରକ୍ଷା ବନ୍ଧନ ଦିନ ମହାପ୍ରଭୁ ଭକ୍ତ ପରମାନନ୍ଦଙ୍କ ଛଦ୍ମ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ l ବ୍ରହ୍ମମୁହୂର୍ତରୁ ମନ୍ଦିର ସେବକଙ୍କ ଦ୍ୱାରା ଶୁଭ ଶଙ୍ଖ ନାଦ କରି ମହାପ୍ରଭୁଙ୍କ ପହଡଭଙ୍ଗ ସହିତ ସମସ୍ତ ପୂଜା ନୀତି ସମ୍ପନ୍ନ ହେବା ପରେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ ଏହି ଛଦ୍ମ ବେଶ ବା ଭକ୍ତ ପରମାନନ୍ଦ ବେଶ କରାଯାଇଥିଲା l ଭକ୍ତ ପରମାନନ୍ଦ ବେଶରେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ, ରୁପାର କଠଉ, ରୁପାର ଲଉଡ଼ି, ରୁପାର କୋଡ଼ି ଆଦି ଜିନିଷ ଲାଗି କରାଯାଇଥିଲା l ଧୋତି ଏବଂ ଗାମୁଛାରେ ପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ l ଭକ୍ତ ପରମାନନ୍ଦ ବେଶ ପଛରେ ଏକ କିମ୍ବଦନ୍ତୀ ରହିଛି l ଏହି ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପ୍ରଭୁ ଶ୍ରୀ ଦଧିବାମନ ଭକ୍ତର ନିବେଦନ ଶୁଣି, ଶୂନ୍ୟ ଭଣ୍ଡାରକୁ ପୁର୍ଣ ଭଣ୍ଡାରରେ ପରିଣତ କରି, ସାଧୁଙ୍କୁ ତୃପ୍ତ ଭୋଜନ ଦେଇ ଆପ୍ୟାୟିତ କରିବା ସହିତ, ଭକ୍ତଙ୍କୁ ସାଧୁ ଅଭିଶାପରୁ ରକ୍ଷା କରିଥିଲେ l ସେଥିପାଇଁ ଭକ୍ତ ପରମାନନ୍ଦଙ୍କ ବଂଶଜ ମାନେ ପରମ୍ପରା କ୍ରମେ ପ୍ରଭୁଙ୍କୁ ପ୍ରଥମ ପୂଜା ଏବଂ ଭୋଗ ଅର୍ପଣ କରିଥାନ୍ତି l ଏ ଅବସରରେ ମନ୍ଦିର ସମ୍ମୁଖସ୍ଥ ପରମାନନ୍ଦ ସ୍ମୃତିସ୍ତମ୍ଭରେ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରୀମନ୍ଦିରରେ ନୂତନ ନେତ ବନ୍ଧା ଯାଇଥିଲା l ଭକ୍ତ ଏବଂ ଭଗବାନଙ୍କ ମିଳନରେ ଏହିପରି ବେଶ କରାଯିବା ଅନନ୍ୟ l ଏହି ଆଲୌକିକ ବେଶ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା l




