ତାଳଚେର ଷ୍ଟେସନରେ ମେମୋଟ୍ରେନ ପଂହଚିବାରେ ବିଳମ୍ବ ଜନ। ଅସନ୍ତୋଷ ବୃଦ୍ଧି
ତାଳଚେର, ୧୪/୦୮ ଟ୍ରେନ ନଂ-୬୮୪୨୨ ପୁରୀ ଅନୁଗୋଳ ମେମୋ ଟ୍ରେନ୍ ଦୈନିକ ତାଳଚେର ଷ୍ଟେସନରେ ବିଳମ୍ବରେ ପଂହଚୁଥିବାରୁ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇ ଆନ୍ଦୋଳନର ଦାନାବାନ୍ଧୁଛି । ଏସମ୍ପର୍କରେ ଅଶୋକ କୁମାର ପତି ଭୂବନେଶ୍ୱର ଷ୍ଟେସନରେ ଗତ ତା ୧୧/୦୮/୨୦୨୫ରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଏହି ଟ୍ରେନଟି ଅନୁଗୋଳ ଠାରୁ ବାହାରି ପୁରୀ ଓ ପୁରୀରୁ ତାଳଚେର ଦେଇ ଅନୁଗୋଳ ଜିଲ୍ଳାକୁ ଯାଇଥାଏ । ଏହି ଟ୍ରେନ ଉପରେ ହଜାର ହଜାର ଯାତ୍ରୀ ନିର୍ଭରଶୀଳ । ବିଭିନ୍ନ କାରଣରୁ ପୁରୀରୁ ତାଳଚେର ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ଼ ମାଲାବହୀ ଟ୍ରେନକୁ ଛାଡ଼ିବାକୁ ପ୍ରାଧାନ୍ୟତା ଦିଆଯାଉଥିବାରୁ ଉକ୍ତ ଟ୍ରେନକୁ ଦୀର୍ଘ ସମୟ ଧରି ପକାଇ ରଖୁଥିବାରୁ ତାଳଚେରରେ ପଂହଚିବାପାଇଁ ୨ଘଂଟାରୁ ଉର୍ଦ୍ଧ୍ୱ ସମୟ ବିଳମ୍ବ ହୋଇଥାଏ । ଟ୍ରେନ ଯାତ୍ରୀମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଏହାକୁ ନେଇ ଯେତେ ଅଭିଯୋଗ କଲେ ମଧ୍ୟ କେହି ହେଲେ ସମ୍ପୃକ୍ତ ଅଧିକାରୀମାନେ କର୍ଣ୍ଣପାତ କରୁନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ପ୍ରକାଶ ଥାଉକି, ଏହି ଟ୍ରେନରୁ ଓହ୍ଲାଇ ଯାତ୍ରୀମାନେ ବହୁ ଦୂରଦୂରାନ୍ତକୁ ଅଟୋ କିମ୍ବା ବାଇକ ଯୋଗେ ଯାଉଥିବା ଅବସ୍ଥାରେ ବିଭିନ୍ନ ଆଶା ଆଶଙ୍କାରେ ରହିଥାନ୍ତି । ତେଣୁ ତୁରନ୍ତ ଏଥିପ୍ରତି ବିଭାଗୀୟ ଦୃଷ୍ଟି ଦେବାକୁ ଯାତ୍ରୀମାନେ ଦାବି କରିଛନ୍ତି ।



