କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଭାରତକୁ ଏକ ମହାଶକ୍ତି ଏବଂ ବିଶ୍ୱ ଗୁରୁ ଦର୍ଶାଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ଭାରତ ପ୍ରତିଟି କ୍ଷେତ୍ରରେ ମଜବୁତ ହୋଇଯିବ ତେବେ ଦୁନିଆ ନିଶ୍ଚିତ ଭାବେ ଆମ କଥା ଶୁଣିବ । ନାଗପୁରରେ ରାଷ୍ଟ୍ର ନିର୍ମାଣ ସମିତି(ସାମାଜିକ ସଂଗଠନ) ଦ୍ୱାରା ଆୟୋଜିତ ‘ଅଖଣ୍ଡ ଭାରତ ସଂକଳ୍ପ ଦିବସ’ କାର୍ଯ୍ୟକ୍ରମରେ ସଭାକୁ ସମ୍ବୋଧିତ କରି ଗଡକରୀ ଉପରୋକ୍ତ ବୟାନ ଦେଇଛନ୍ତି ।
ଗଡକରୀ କହିଛନ୍ତି, ଆମେ ଆଜିର ଦିନକୁ ମନେ ରଖିବା କାରଣ ଏହି ଦିନ ୧୯୪୭ରେ ଦେଶ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଭାରତ ଓ ପାକିସ୍ତାନ । ଆମେ ସମସ୍ତେ ଗୋଟିଏ ମିଶନ ରୂପେ ସ୍ୱୀକାର କରିବା ଯେ, ଆମ ଦେଶର ବିଭାଜନ ଅସ୍ୱୀକାର ଥିଲା ଏବଂ ଗୋଟିଏ ଦିନ ଦେଶ ଅଖଣ୍ଡ ଭାରତ ହୋଇଯିବ । ଏହି ସଂକଳ୍ପକୁ ଆମେ ଆଜିର କାର୍ଯ୍ୟକ୍ରମରେ ନେଉଛୁ । ଗଡକରୀ ଭାରତର ବିବିଧତାରେ ଏକତା ଏବଂ ଦେଶର ସଶସ୍ତ୍ର ବଳର ପ୍ରଶଂସା କରିଛନ୍ତି ।କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ଏବଂ ଦୁନିଆର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ସହ ଆତ୍ମ ନିର୍ଭର ଏବଂ ବିଶ୍ୱଗୁରୁ କରିବାର ସଂକଳ୍ପ ନେଇଛନ୍ତି । ଏହି ସବୁ ସଂକଳ୍ପ ପ୍ରତିଟି ଭାରତୀୟଙ୍କ ଉଦ୍ୟମରେ ହିଁ ସଫଳ ହୋଇ ପାରିବ । ଯଦି ଆମେ ପ୍ରତିଟି କ୍ଷେତ୍ରରେ ମଜବୁତ ହେବା ତେବେ ନିଶ୍ଚିତ ରୂପେ ଦୁନିଆ ଆମର କଥା ଶୁଣିବ । ଯେଉଁ ଲୋକେ ଅର୍ଥବ୍ୟବସ୍ଥା, ରକ୍ଷା, ବିଜ୍ଞାନ ଏବଂ ପ୍ରଦୌଗିକିରେ ମଜବୁତ ସହ କୃଷି ଏବଂ କାରବାରରେ ପ୍ରଗତି କରୁଛନ୍ତି ତଥା ଯେଉଁ ଦେଶର ନାଗରିକ ଦେଶଭକ୍ତ ଏବଂ ସୁସଂସ୍କୃତ, ସେହି ଦେଶ ହିଁ ବିଶ୍ୱ ଗୁରୁ ହୋଇ ପାରିବ ।



