ଭୁବନେଶ୍ୱର, ୧୮/୦୯ : ବୁଧବାର ଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍ । ଏହି ମ୍ୟାଚରେ ଭୁବନେଶ୍ୱର ଟାଇଗର୍ସଙ୍କୁ ୩ ଓ୍ୱିକେଟରେ ପରାସ୍ତ କରିଛି କଟକ ପାନ୍ଥର୍ସ । ଦଳ ପକ୍ଷରୁ ସ୍ୱସ୍ତିକ ସାମଲ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମ୍ୟାଚରେ ଭୁବନେଶ୍ୱର ପ୍ରଥମେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିଲା । ଦଳରେ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ କରିଥିଲେ ।
ଦଳ ପକ୍ଷରୁ ଗୌରବ ଚୌଧୁରୀ ୭୮, ରାଜେଶ ଧୂପର ୬୫ ଓ ବିକାଶ ସାମଲ ୩୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୮୮ ରନ କରିଥିଲା । ୧୮୯ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କଟକର ଓପନିଂ ଯୋଡ଼ି ବେଶ ଦମଦାର ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ସ୍ୱସ୍ତିକ ସାମଲ ୫୨ ଓ ପାନକାଳ ଶଶାଙ୍କ ୪୬ ରନ କରିଥିଲେ । ଏହାପରେ ଶୁଭମ ଶତ୍ରୁଜିତ୍ ଓ ସୌରଭ ଗୌଡ଼ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଶେଷ ଓଭରରେ ମ୍ୟାଚ ଜିତାଇଥିଲେ ।



