
*ଧାନ ପଞ୍ଜିକରଣରୁ ବାଦ ପଡ଼ିଥିବା ଚାଷୀ ଧାନ ବିକ୍ରି କରିବେ କେମିତି ସରକାର ସ୍ପଷ୍ଟ କରନ୍ତୁ – କୃଷକ ସଂଗଠନର ଚେତାବନୀ*

ବରଗଡ:୨୨/୯(ପବିତ୍ର ମେହେର) ଗୋଟିଏ ପଟେ ଧାନ ଅମଳ ଆରମ୍ଭ ହେଲାଣି ତ ଅନ୍ୟ ପଟେ ପଞ୍ଜିକରଣ ରୁ ବଞ୍ଚିତ ଚାଷି ପଞ୍ଜିକୃତ ହେବେ କେବେ ବୋଲି ଭେଡେନ ତହସିଲ ଅଫିସ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନ ଶାଖାର ସହରାଟିକ୍ରା ମଣ୍ଡି ସଭାପତି ବୃନ୍ଦାବନ ସାହୁଙ୍କ ନେତୃତ୍ୱରେ ଧାନ ପଞ୍ଜିକରଣରୁ ବାଦ ପଡ଼ିଥିବା ରେମଣ୍ଡା ସୋସାଇଟିରେ ରାଜ୍ୟର ସର୍ବାଧିକ ୯୫୦ଜଣ ବା ତାଳମେଣ୍ଡା ପଞ୍ଚାୟତରୁ ୫୩୨ ଜଣ ଅସନ୍ତୁଷ୍ଟ ଚାଷୀ ଅଫିସ ଖୋଲିବା ପୂର୍ବରୁ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ସମସ୍ତେ ନୂତନ ଧାନ ପଞ୍ଜିକରଣ ନୀତି ସମ୍ପୂଣ୍ଣ ବିଫଳ ହୋଇଥିବା ପ୍ରକାଶ କରି କାହିଁକି ହଜାର ହାଜର ଚାଷୀ ପଞ୍ଜିକରଣରୁ ବାଦ ପଡିଛନ୍ତି ବୋଲି ପ୍ରଶ୍ନ କରିଥିଲେ ।ଯେଉଁମାନେ ଗତ ବର୍ଷ ଧାନ ପଞ୍ଜିକରଣ କରିଥିଲେ ଏବଂ ଚଳିତ ବର୍ଷ ଆବଶ୍ୟକ ସମସ୍ତ କାଗଜପତ୍ର ଧାର୍ଯ୍ୟ ତାରିଖ ପୂର୍ବରୁ ଦେଉଥିଲେ ମଧ୍ୟ ପଞ୍ଜିକରଣ ହୋଇ ପାରିଲେ ନାହିଁ କାହିଁକି ସେ ସମ୍ପର୍କରେ ଜାଣିବା ପାଇଁ ଚାହିଁଥିଲେ। ଇଣ୍ଟରନେଟ ସ୍ଲୋ ହେବା, ଅନାବଶ୍ୟକ କାଗଜପତ୍ର ମଗାଯିବା, ସର୍ଭର ଡାଉନ ହେବା, ସୋସାଇଟିରେ ମନମୁଖୀ କାର୍ଯ୍ୟ ଏବଂ ୨୫ ତାରିଖ ପରେ ନେଟ ଆବେଦନ ପ୍ରକ୍ରିୟା ବନ୍ଦ ହେବା ଯୋଗୁଁ ଅନେକ ଚାଷୀ ବଞ୍ଚିତ ହୋଇଛନ୍ତି। କିନ୍ତୁ ସଙ୍ଗଠନ କର୍ମକର୍ତ୍ତା ମାନଙ୍କ ଅଭିଯୋଗ ଅନୁସାରେ ଏହି ସବୁ ସମସ୍ୟା ଶାସନ ପ୍ରଶାସନ ତରଫରୁ ଜାଣିଶୁଣି କରାଯାଇଛି କାରଣ ଯେତେ କମ ଚାଷୀ ପଞ୍ଜିକୃତ ହେବେ ରାଜ୍ୟ ପାଇଁ ସେତେ ଭଲ ଆଉ ୮୦୦ଟଙ୍କା ଦେବାକୁ ପଡିବ ନାହିଁ ଏବଂ ଯେଉଁ ଚାଷୀମାନେ ପଞ୍ଜିକୃତ ହୋଇ ପାରିବେ ନାହିଁ ଧାନ କ୍ୟୁଣ୍ଟାଲ ପ୍ରତି ୧୫ ରୁ ୧୭ଶହରେ ବିକ୍ରିପାଇଁ ବାଧ୍ୟ ହେବେ। ସେମାନଙ୍କୁ ଋଣ ଶୁଝିବାରେ ଅସୁବିଧା ହେବ,ଘର ଚଳାଇବା ସହିତ ଆବଶ୍ୟକ ଖର୍ଚ୍ଚ କେମିତି ଓ କିପରି ଭାବେ ପୂରଣ କରିବେ ବୋଲି ସଂଗଠନର କର୍ମକର୍ତ୍ତା କହିଥିଲେ। ଦୀର୍ଘ ୫ ଘଣ୍ଟାର ଧାରଣା ପରେ ତହସିଲଦାର ରଶ୍ମିତା ସ୍ୱାଇଁ ଏବଂ ସହକାରୀ ଉପନିବନ୍ଧକ ରାଧେ ମେହେର ଆସି ଆନ୍ଦୋଳନ ରତ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। ପଞ୍ଜିକରଣ ନିଶ୍ଚୟ ହେବ ବୋଲି ପ୍ରତିଶୃତି ଦେଲା ପରେ ଚାଷୀମାନେ ଯଦି କେହି ଜଣେ ଧାନ ବିକ୍ରୀ ରୁ ବାଦ ପଡିଲେ ବା ପଞ୍ଜିକରଣ ହୋଇନପାରିଲେ ସମସ୍ତ ସରକାରୀ ଅଫିସ, ରୋଡ଼ ରାସ୍ତା ରେ ଧାନ ପକାଇ ସମସ୍ତ ମଣ୍ଡି ବନ୍ଦ କରାଯିବ ବୋଲି ଅଶ୍ୱିନୀ ଦାସ, ଚୂଡ଼ାମଣି ଛନ୍ଦ, ଧର୍ମରାଜ କର, ବିକାଶ ପଧାନ, ଭାଗବତ ସାହୁ, ଦୈତାରୀ ସାହୁ, ଦୀପକ ସାହୁ, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ଉତ୍ପନ୍ନ ଭୋଇ ଏବଂ ରମେଶ ମହାପାତ୍ର ଚେତାବନୀ ମଧ୍ୟ ଦେଇଛନ୍ତି।




