ଶାରଦୀୟ ଦୁର୍ଗା ପୂଜା ଓ ପବିତ୍ର ବିଜୟ ଦଶମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ମା’ ଦୁର୍ଗା ଆମ ପାଇଁ ଶକ୍ତି ଓ ସୁରକ୍ଷାର ନିଦର୍ଶନ। ସମାଜରେ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ହେଉଛି ଶକ୍ତି, ସାହସ ଓ ନୈତିକ ବିଜୟର ପ୍ରତୀକ।
ସେ ଲେଖିଛନ୍ତି ଯେ, ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର ‘ବିଜୟା ଦଶମୀ’ ତଥା ‘ଦଶହରା’ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜଗଜ୍ଜନନୀ, ଦୁର୍ଗତି ନାଶିନୀ, ମା’ଦୁର୍ଗା ଆପଣଙ୍କୁ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରଦାନ କରିବା ସହ ଜଗତର କଲ୍ୟାଣ କରନ୍ତୁ ।ପବିତ୍ର ବିଜୟା ଦଶମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। କରୁଣାମୟୀ ମା’ ଦୁର୍ଗାଙ୍କଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ।ଶାରଦୀୟ ଦୁର୍ଗାପୂଜାରେ ଆଜି ପବିତ୍ର ବିଜୟା ଦଶମୀ । ଅଧର୍ମ ଊପରେ ଧର୍ମର ବିଜୟର ଦିନ । ଦଶମୀ ଅବସରରେ ମଣ୍ଡପରେ ଚାଲିଛି ମା ଦୁର୍ଗତୀନାଶିନୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ. ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ସ୍ୱତନ୍ତ୍ର ରୀତିନୀତି ଅନୁସାରେ ଜଗତଜନନୀ ମାଆ ଦୁର୍ଗାଙ୍କ ପୂଜା କରାଯାଉଛି । ଆଜି ମାଙ୍କୁ ଅପରାଜିତା ଫୁଲ ଲାଗି କରାଯିବା ସହ ସିନ୍ଦୂର ଖେଳର ପରାମ୍ପରା ରହିଛି । କଟକର ବିଭିନ୍ନ ମଣ୍ଡପରେ ସିନ୍ଦୂର ଖେଳ ହେବା ସହ ଓ ଦହିପଖାଳ ଭୋଗ କରାଯାଏ ।ପୁରାଣ ଅନୁସାରେ ଆଜି ମହିଷାସୁରର ଅତ୍ୟାଚାରରେ ଦେବତାମାନେ ଯେତେବେଳେ ତ୍ରାହି ତ୍ରାହି ଡାକୁଥିଲେ ଏବଂ ତା’ର ଅତ୍ୟାଚାରରେ ପୃଥିବୀ ଥରହର ହୋଇଥିଲା ସେତେବେଳେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭୂତ ହୋଇଥିଲେ ମା ଦୁର୍ଗା । ସମସ୍ତ ଦେବତା ନିଜ ନିଜର ଅସ୍ତ୍ର ମାଙ୍କୁ ଦାନ କରିଥିଲେ । ଶେଷରେ ଦେବୀ ସିଂହବାହିନୀ ମହିଷାସୁର ସହିତ ଯୁଦ୍ଧ କରିବା ପରେ ବଦ୍ଧ କରିଥିଲେ ।



