ଢେଙ୍କାନାଳ ଜିଲ୍ଲାରେ ୩ଟି ନୂଆ ସବ୍-ରେଜିଷ୍ଟ୍ରେସନ ଅଫିସ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଗନ୍ଦିଆ, କଙ୍କଡ଼ାହାଡ଼ ଏବଂ ଓଡ଼ାପଡ଼ା ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ପ୍ରତିଷ୍ଠା
ଢେଙ୍କାନାଳ | ୦୧ ନଭେମ୍ବର ୨୦୨୫ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଆଭାସୀ ମାଧ୍ୟମରେ ରାଜ୍ୟର ୪୪ ଟି ନୂଆ ସବ୍-ରେଜିଷ୍ଟ୍ରେସନ ଅଫିସ୍ର ଉଦ୍ଘାଟନ କରିବା ସହିତ ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ, କଙ୍କଡ଼ାହାଡ଼ ଓ ଓଡ଼ାପଡ଼ା ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ ଅଫିସ୍ର ଉଦ୍ଘାଟନ କରିଛନ୍ତି।ଏହି ଅବସରରେ ଜିଲ୍ଲା ମୁଖ୍ୟାଳୟ ଓସ୍ୱାନ ହଲ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ବର ପାଟିଲ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତିନିଧିତ୍ବ କରିଥିଲେ।ସୂଚନା ଯୋଗ୍ୟ ଯେ ଏହି ନୂଆ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଦ୍ବାରା ଏହି ଅଞ୍ଚଳର ଲୋକମାନେ ଏବେ ଜମିଜମା ପଞ୍ଜୀକରଣ, ମ୍ୟୁଟେସନ ପଟ୍ଟା ମିଳିବା, ଏବଂ ଅନ୍ୟାନ୍ୟ ରାଜସ୍ୱ ସେବା ସୁବିଧାକୁ ଉତ୍ତମ ଓ ସହଜ ଭାବେ ନିଜ ତହସିଲରେ ପାଇପାରିବେ।ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ତହସିଲରେ ସବ୍-ରେଜିଷ୍ଟ୍ରେସନ ଅଫିସ ଖୋଲାଗଲେ ଜନସାଧାରଣଙ୍କ ପାଇଁ ଏକ ବିଶେଷ ସୁବିଧା ଓ l ସହଜତା ଆସିବ। ଏଥିରେ ଲୋକମାନେ ଦୂର ସ୍ଥାନ କୁ ଯିବା ଓ ଅନାବଶ୍ୟକ ଖର୍ଚ୍ଚ ଓ ସମୟ ହାନିରୁ ମୁକ୍ତି ପାଇବେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟେକ୍ନୋଲୋଜି ଜରିଆରେ ରାଜସ୍ୱ ବ୍ୟବସ୍ଥାକୁ ମଧ୍ୟସ୍ଥି ମୁକ୍ତ ଓ ଦୁର୍ନୀତି ମୁକ୍ତ କରାଯାଉଛି। ସମସ୍ତ ସବ୍-ରେଜିଷ୍ଟ୍ରେସନ ଅଫିସରେ ସିସିଟିଭି ଜରିଆରେ Smart Surveillance System ସ୍ଥାପିତ ହୋଇଛି, ଯାହା ଦ୍ବାରା କର୍ମଚାରୀ ମାନଙ୍କର ପାରଦର୍ଶିତା ଓ ସମୟାନୁବର୍ତ୍ତୀତା ସୁନିଶ୍ଚିତ ହେଉଛି।ଏହି ନୂଆ କାର୍ଯ୍ୟାଳୟ ସ୍ଥାପନ ଦ୍ବାରା ଢେଙ୍କାନାଳ ଜିଲ୍ଲାର ଲୋକମାନେ ଏବେ ନିଜ ଅଞ୍ଚଳରେ ବସିବା ଅବସ୍ଥାରେ ଅନ୍ଲାଇନ ମାଧ୍ୟମରେ ସ୍ଲଟ୍ ବୁକିଂ, ଇ-ସି, ଓ ଅନ୍ୟାନ୍ୟ ରେକର୍ଡ ସେବା ନିଜେ ପାଇପାରିବେ।ଜିଲ୍ଲାପାଳ ଶ୍ରୀ ପାଟିଲ ଏହି ଅବସରରେ କହିଥିଲେ ଯେ, ଗନ୍ଦିଆ, କଙ୍କଡ଼ାହାଡ଼ ଓ ଓଡ଼ାପଡ଼ା ଅଞ୍ଚଳ ଜନସାଧାରଣଙ୍କ ପାଇଁ ଏହି ନୂଆ ସବ୍-ରେଜିଷ୍ଟ୍ରେସନ ଅଫିସ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ବାରା ଲୋକମାନେ ସରକାରୀ ସେବାରେ ସହଜ ପ୍ରବେଶ ଓ ସମ୍ମାନସୂଚକ ବ୍ୟବହାର ପାଇବେ।



