ବଅଁରପାଳ,୫/୧୧ -ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ପୀଢସାହି ଯାତ୍ରା ପଡିଆରେ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେଵୀ ମା’ ଲୋଭୀଙ୍କର ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ପୂର୍ଣ୍ଣିମା ଦିନ ମାଆ ଙ୍କ ବାର୍ଷିକ ପୂଜାକୁ ମହା ସମାରୋହରେ ପାଳନ କରିଥାନ୍ତି ଉଭୟ ଗ୍ରାମବାସୀ l ମାଆ ଙ୍କ ମହିମା ପ୍ରତ୍ୟକ୍ଷ୍ୟ ହୋଇଥିବାରୁ ତାଙ୍କର ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ପ୍ରତ୍ୟେକ ବର୍ଷ ହୋଇଥାଏ l ଆଜି ପ୍ରତ୍ୟୁଷରୁ ମାଙ୍କ ସେବକ ତଥା ଦେହୁରୀ ରଞ୍ଜନ କୁମାର ଗଡ଼ନାୟକ ତୁଳସୀପାଳରେ ଥିବା ମାଙ୍କ ଆଲମ ଘରେ ଯଥାରିତି ପୂଜାର୍ଚ୍ଚନା କରିବା ପରେ ଗଡ଼ସନ୍ତ୍ରୀ ପୀଢ଼ସାହି ଯାତ୍ରା ପଡିଆରେ ଥିବା ପୀଠସ୍ଥଳୀଙ୍କୁ ଯିବାକୁ ନିମନ୍ତ୍ରଣ କରିଥିଲେ l ପୂର୍ବାହ୍ନ ୯ ଟାରେ ମାଆ ଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଉଭୟ ତୁଳସୀପାଳ ଓ ଗଡ଼ସନ୍ତ୍ରୀ ଗ୍ରାମ ମୁଖ୍ୟରାସ୍ତାରେ ଯାତ୍ରାପଡିଆକୁ ନିଆ ଯାଇଥିଲା l

ଶହ ଶହ ଛତି, ତରାଶ ସହ ଏକାଧିକ ଡିଜେ ସାଉଣ୍ଡ, ଢୋଲ, ନିଶାଣ, ସିଂଘବାଦ୍ୟ, ଧାଙ୍ଗଡ଼ାବାଦ୍ୟ, ଲଉଡ଼ିଖେଳ, ପାଇକଖେଳ, ବାଣରୋଷଣୀ ଓ ହରିବୋଲ ହୁଳହୁଳି ଶବ୍ଦରେ ଦୁଇ ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା l ପଥ ମଧ୍ୟରେ ଗ୍ରାମର ମହିଳା ମାନେ ନିଜନିଜ ଘର ମୁହଁରେ ଘଟ ସ୍ଥାପନ କରି ବନ୍ଦାପନା କରିଥିଲେ l ଶୋଭାଯାତ୍ରା ପୀଠସ୍ଥଳୀରେ ପହଞ୍ଚିବା ପରେ ମାର୍ଜନା ସହ ଔପଚାରିକ ପୂଜାର୍ଚ୍ଚନା କରା ଯାଇଥିଲା l ଅଧିଆ ପଡ଼ିଥିବା ବହୁ ସଂଖ୍ୟକ ମାନସିକଧାରୀ ପାଦୁକା ପାଇ ମାନସିକ ଭଙ୍ଗ କରିଥିଲେ ଓ ଶତାଧିକ ଶିଶୁ ମୁଣ୍ଡନ ହୋଇଥିଲେ l ନିଶାର୍ଦ୍ଧରେ ମହାଦେଶ ଆସିବା ପରେ ଗୁପ୍ତପୂଜା କରା ଯାଇଥିଲା l ଯାତ୍ରାପଡିଆରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା l ଯାତ୍ରା ପଡିଆରେ ଏକ ହଜାରରୁ ଉର୍ଦ୍ଧ୍ବ ଛୋଟବଡ଼ ହୋଟେଲ, ମନୋହରୀ, ଗୃହସାମଗ୍ରୀ, ଫାଷ୍ଟଫୁଡ ଓ କୋଲ୍ଡଡ୍ରିକ୍ସ ଦୋକାନ ମାନ ପଡିଛି l ଆଗାମୀ ଦିନ ଗୁଡିକରେ ଯାତ୍ରାରେ ଲୋକ ସମାଗମ ଅଧିକ ହେବ ଓ ଭଲ ବେପାର ହେବ ବୋଲି ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଓ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଏଏସପି ରାଜୀବ ଲୋଚନ ପଣ୍ଡା,ବଅଁରପାଳ ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ୩ ଡ଼ିଏସପି, ୭ଜଣ ସବଇନିସ୍ପେକ୍ଟର ଓ ୫ ପ୍ଲାଟୁନ ଫୋର୍ସ ମୁତୟନ ସହ ଏକ ଅସ୍ଥାୟୀ ପୋଲିସ ଶିବିର ଖୋଲାଯାଇଛି l ପ୍ରାଥମିକ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି l ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଥଣ୍ଡା ପାନୀୟ ଜଳ ଓ ଦହି ସରବତ ବଣ୍ଟନ କରାଯାଉଛି l ଅଞ୍ଚଳର ଏହା ଏକ ସର୍ବ ପୁରାତନ ଓ ପ୍ରସିଦ୍ଧ ଯାତ୍ରା ହେଇଥିବାରୁ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମ ସମେତ ଆଖପାଖ ଗ୍ରାମ ଗୁଡିକ ଚଳଚଞ୍ଚଳ ହେବାସହ ଘରେ ଘରେ କୁଣିଆଁ, ବନ୍ଧୁବାନ୍ଧବଙ୍କ ଭିଡ଼ ଦେଖିବାକୁ ମିଳୁଛି l ମା’ ଲୋଭୀ ଠାକୁରାଣୀ ଟ୍ରଷ୍ଟିର ସଭାପତି ସୁନୀଳ କୁମାର ମାଝୀ, ସମ୍ପାଦକ ଭଜମନ ମହାନ୍ତି, ଲୋକନାଥ ମାଝୀ, ଦାଶରଥି ପାଏକ, ଦୈତାରୀ ସାହୁ, ନୀଳମଣି ବିଶ୍ୱାଳ, ଧୀରେନ୍ଦ୍ର ଗଡ଼ନାୟକଙ୍କ ସମେତ ସମସ୍ତ ଟ୍ରଷ୍ଟି ସଦସ୍ୟ ଓ ଶାନ୍ତି କମିଟିର ସଦସ୍ୟ ମାନେ ଯାତ୍ରା ପରିଚାଳନାରେ ସହଯୋଗ କରୁଛନ୍ତି l



