*ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଚାଷୀଙ୍କ ଆନ୍ଦୋଳନ ଜାରି ରହିବ*

ବରଗଡ:୧୩/୧୧(ପବିତ୍ର ମେହେର)ଆଜି ଗୁରୁବାର ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଲିଥିବା ଚାଷୀ ଆନ୍ଦୋଳନ ଚତୁର୍ଥ ଦିନରେ l ପ୍ରକାଶ ଥାଉକି ଧାନ କାର୍ଡ ପଞ୍ଜିକରଣ ପ୍ରକ୍ରିୟାରୁ ବାଦ ପଡ଼ିଥିବା ବରଗଡ ଜିଲ୍ଲାର ହଜାର ହଜାର ଚାଷୀ ଗତ ସୋମବାର ଦିନ ଠାରୁ ଆନ୍ଦୋଳନ ଜାରି ରଖି, ଯେ ପର୍ଯ୍ୟନ୍ତ ଧାନ କାର୍ଡ ପଞ୍ଜିକରଣ ନ ହେବ ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ନିଜର ଜିଦ ରେ ଅଟଳ ରହି ପ୍ରଶାସନର ନିଦ ହଜାଇଦେବା ସହିତ ସରକାରକୁ ଦୃଢ଼ ଭାବରେ ଚେଲେଞ୍ଜ କରିଛନ୍ତି l ପଞ୍ଜିକରଣ ପ୍ରକ୍ରିୟାରୁ ବାଦ ପଡ଼ିଥିବା ସମସ୍ତ ଚାଷୀ ଙ୍କ ଧାନ କାର୍ଡ ପଞ୍ଜିକରଣ କରାଯାଉ ବୋଲି ସେମାନଙ୍କର ଏକମାତ୍ର ଦାବୀ ରହିଛି। ସମସ୍ତ ଚାଷୀ ଆଜି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି l ଆଜି ମାର୍ଗଶିର ମାସ ଦ୍ଵିତୀୟ ଗୁରୁବାର ଥିବାରୁ ଚାଷୀମାନେ ଆନ୍ଦୋଳନ ସ୍ଥଳରେ ମା ମହାଲକ୍ଷ୍ମୀ ଙ୍କ ପୂଜା ସମ୍ପୂର୍ଣ ବିଧିବିଧାନ ସହିତ କରିବା ସହ ଘଟଣା ସ୍ଥଳରେ ଉପସ୍ଥିତ ସମସ୍ତ ଅଫିସର,ପୋଲିସ, ସାମ୍ବାଦିକଙ୍କ ସମେତ ସମସ୍ତ ଚାଷୀ ଓ ଗାଈଗୋରୁମାନଙ୍କୁ ପ୍ରସାଦ ବଣ୍ଟନ କରି ନିଜେ ମଧ୍ୟ ଗ୍ରହଣ କରିଥିଲେ l ଆନ୍ଦୋଳନ ଚାପରେ ବାଧ୍ୟ ହୋଇ ଆଜି ସରକାର କୋଡିଏ ତାରିଖ ଏକ କାଳୀନ ସମସ୍ତ ମାର୍କେଟ ୟାର୍ଡ଼ ଖୋଲିବାକୁ ବାଧ୍ୟ ହୋଇଛନ୍ତି, ଏହା ଆନ୍ଦୋଳନକୁ ଆଂଶିକ ସଫଳତା ମିଳିବା ସହିତ ଆନ୍ଦୋଳନକାରୀଙ୍କ ସାହସ ଓ ଉତ୍ସlହକୁ ଦ୍ବିଗୁଣିତ କରିଛି l ଆଜି ଆନ୍ଦୋଳନ ସ୍ଥଳକୁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ସମର୍ଥନର ସୁଅ ଛୁଟିଥିବା ବେଳେ ରେଶମ ମାର୍କେଟର ଚାଷୀବୃନ୍ଦ, କୋଶଲ ସେନା,ଓଡିଶା ରାଜ୍ୟ କୃଷକ ସଙ୍ଗଠନ, ବାରପାହାଡ କୃଷକ ସଙ୍ଗଠନ,ବୀର ସୁରେନ୍ଦ୍ର ସାଏ କୃଷକ ସଙ୍ଗଠନ,ଆଞ୍ଚଳିକ କୃଷକ ମହାସଂଘ, ସଂଯୁକ୍ତ କୃଷକ ସଙ୍ଗଠନର ସଦସ୍ୟମାନେ ସଭାରେ ଉଦବୋଧନ ଦେଇଥିଲେ।




