ବିଦ୍ୟୁତ୍ ମିଟର ଯୋଗାଣ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ
ଢେଙ୍କାନାଳ, ୧୩/୧୧: ବିଦ୍ୟୁତ୍ ମିଟର ଯୋଗାଣ ନିମନ୍ତେ ଭାରତୀୟ କ୍ଷେତ ମଜଦୂର ୟୁନିୟନ ସଂପାଦକ ରବି ରଥ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ବର୍ତମାନ ଏଲେକ୍ଟ୍ରି ଦୋକାନମାନଙ୍କରେ ମିଟର ମିଳୁନାହିଁ, ବିଦ୍ୟୁତ ବିଭାଗ ଯେଉଁ ସ୍ମାର୍ଟ ମିଟର ବସାଉଛନ୍ତି ତାକୁ ସବୁ ମହଲରେ ବିରୋଧ କରୁଥିବା ଦୃଷ୍ଟିକୁ ଆସୁଛି । ପୂର୍ବରୁ ଯେଉଁ ମିଟର ଉପଭୋକ୍ତାଙ୍କ ଘରେ ବସିଥିଲା। ତାହା ଠିକ୍ ଥୁଲା, ଚାଲୁଥୁବା ମିଟରକୁ ଉଠାଇ ନେଇ ନୂଆ ମିଟର ଲଗା ଯିବା ଫଳରେ ଯେଉଁଭଳି ଭାବରେ ବିଲ୍ ଆସୁଛି ତାହା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ବର୍ଗ ଖୁବ୍ ଅସନ୍ତୋଷ ପ୍ରକାଶ କରୁଛନ୍ତି ବୋଲି ଶ୍ରୀ ରଥ ଉଲ୍ଲେଖ କରିଛନ୍ତି । ଏହି ସ୍ମାର୍ଟ ମିଟର ପରିବର୍ତେ ବିକଳ୍ପ ଭାବରେ ମିଟର ବଜାରକୁ ଆସିବାର ଆବଶ୍ୟକତା ରହିଛି । ଯାହା ଫଳରେ ବିଦ୍ୟୁତ ଗ୍ରାହକ ଇଲେକ୍ଟ୍ରି ଦୋକାନରୁ କିଣି ନିଜଘରେ ବିଦ୍ୟୁତ ବିଭାଗ ଦ୍ବାରା ଟେଷ୍ଟିଙ୍ଗ୍ କରାଇ ବିଦ୍ୟୁତ୍ ସେବା ପାଇପାରିବେ । ଯେଉଁ ଗ୍ରାହକ ମାସକୁ ୯୦ ରୁ ୧୨୦ ଟଙ୍କା ଦେଉଥୁଲା, ସ୍ମାର୍ଟ ମିଟର ବସାଇବା ଫଳରେ ୩ଗୁଣ ବୃଦ୍ଧି ପାଉଛି ବୋଲି ଶ୍ରୀ ରଥ କହିଛନ୍ତି । ତେଣୁ ଏହି ବିଷୟରେ ବିହୀତ ପଦକ୍ଷେପ ନେଇ ବଜାରରେ କିପରି ମିଟର ମିଳିପାରିବ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ରଥ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ) ଲଳିତ କୁମାର ବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।



