ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ଅନୁଷ୍ଠିତ । ଢ଼େଙ୍କାନାଳ,
୧୮.୧୧.୨୦୨୫ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ (୧୪-୨୦ ନଭେମ୍ବର) ପାଳନ ଅବସରରେ ଢ଼େଙ୍କାନାଳରେ ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସମବାୟ ଆନ୍ଦୋଳନ ଆଜି ସାରା ଦେଶରେ କାୟା ବିସ୍ତାର କରିପାରିଛି, ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ସମବାୟର କାର୍ଯ୍ୟଧାରା ଖୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିଛି ବୋଲି ସେ ପ୍ରକାଶ କରିଥିଲେ। ରାଜ୍ୟ ତଥା ଦେଶରେ କୃଷି, ଉଦ୍ୟାନ, ପଶୁପାଳନ, କୁଟୀର ଶିଳ୍ପ, ବୟନ ଶିଳ୍ପ ଆଦି ସମସ୍ତ କ୍ଷେତ୍ରରେ ସମବାୟ ଦ୍ୱାରା ଯଥେଷ୍ଠ ଭୂମିକା ଗ୍ରହଣ କରାଯାଇଛି ବୋଲି କହିଥିଲେ । ଏହା ଅର୍ଥନୀତିରେ ପ୍ରମୂଖ ଭୂମିକା ଗ୍ରହଣ କରିପାରିଛି ବୋଲି ପ୍ରକାଶ କରିଥିଲେ । ସମବାୟର କାର୍ଯ୍ୟକୁ ଅଧିକରୁ ଅଧିକ ବିସ୍ତାରିତ କରିବା ପାଇଁ କେନ୍ଦ୍ର ସରକାର ଦ୍ୱାରା ସ୍ୱତନ୍ତ୍ର ସମବାୟ ବିଭାଗ କାର୍ଯ୍ୟ କରୁଛି ବୋଲି କହିଥିଲେ ।ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ସମବାୟ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ। ସମସ୍ତ ପ୍ରକାର କାର୍ଯ୍ୟରେ ଓଡ଼ିଆ ଭାଷାକୁ ପ୍ରାଥମିକତା ଦେବା ପାଇଁ ସେ ଗୁରୁତ୍ବାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଯୋଗ ଦେଇ, ବିଶେଷ କରି ଗ୍ରାମାଞ୍ଚଳର ମହିଳାମାନଙ୍କ ଉତ୍ଥାନ ଦିଗରେ ସମବାୟର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ। ସୁଖ-ଶାନ୍ତିରେ ଜୀବନ ଜୀବିକା ନିର୍ବାହ ସହିତ ମହିଳା ସଶକ୍ତି କରଣ ପାଇଁ ସମବାୟ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି ବୋଲି କହିଥିଲେ । ପ୍ରାରମ୍ଭରେ ସମବାୟ ସମିତି ସମୂହର ଉପ-ନିବନ୍ଧକ ଶ୍ରୀ ଉମା ଶଙ୍କର ଦାସ ସ୍ୱାଗତ ଭାଷଣ ଦେଇ ସମବାୟର କାର୍ଯ୍ୟକାରିତା ଦ୍ୱାରା ଲୋକମାନେ କିପରି ଭାବରେ ଉପକୃତ ହେଉଛନ୍ତି ସେ ସମ୍ପର୍କରେ ସୂଚ଼ନା ପ୍ରଦାନ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଜ୍ଞାନ ରଂଜନ ନାୟକ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବାମଳେନ୍ଦୁ ମହାନ୍ତି ସମବାୟର ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ । ଉତ୍ସବରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପରିଜା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ଵନାଥ ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରାମ ଚ଼ନ୍ଦ୍ର ଟୁଡୁ, ଅତିରିକ୍ତ ବୟନ ଶିଳ୍ପ ଅଧିକାରୀ ଶ୍ରୀ ଦାମୋଦର ବେହେରା ପ୍ରମୂଖ ଯୋଗ ଦେଇଥିଲେ। ସମବାୟ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତା ଛାତ୍ର ଛାତ୍ରୀମାନଙ୍କ ସମେତ ସମବାୟ କାର୍ଯ୍ୟରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀ ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।



