ଜେଡିୟୁ ବିଧାୟକ ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ । ଗୟା ଆସନରୁ ନବମ ଥର ପାଇଁ ଜିତିଥିବା ବିଜେପି ବିଧାୟକ ପ୍ରେମ କୁମାର ବାଚସ୍ପତି ଭାବରେ ନିର୍ବାଚିତ ହୋଇପାରନ୍ତି । ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଲଗାତାର ଅଷ୍ଟମ ଥର ପାଇଁ ଜିତିଥିବା ଜେଡିୟୁ ବିଧାୟକ ନରେନ୍ଦ୍ର ନାରାୟଣ ଯାଦବ ସୋମବାର ବିହାର ବିଧାନସଭାର କାମଚଳା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି ।
ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ରାଜଭବନରେ ଶ୍ରୀ ଯାଦବଙ୍କୁ ଶପଥ ପାଠ କରାଇଛନ୍ତି ।୭୪ ବର୍ଷୀୟ ନରେନ୍ଦ୍ର ନାରାୟଣ ଯାଦବ ୧୯୯୫ ମସିହାରୁ ମାଧେପୁରା ଜିଲ୍ଲାର ଆଲମନଗର ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଆସୁଛନ୍ତି । ଶ୍ରୀ ଯାଦବ ନିର୍ବାଚନରେ ଭିଆଇପି ପ୍ରାର୍ଥୀ ନବିନ କୁମାରଙ୍କୁ ପଞ୍ଚାବନ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଶ୍ରୀ ଯାଦବ ଏବେ ବିଧାନସଭାରେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ ଏବଂ ନୂତନ ବାଚସ୍ପତି ପାଇଁ ନିର୍ବାଚନ ପରିଚାଳନା କରିବେ ।ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଗୟା ଆସନରୁ ନବମ ଥର ପାଇଁ ଜିତିଥିବା ବରିଷ୍ଠ ବିଜେପି ବିଧାୟକ ପ୍ରେମ କୁମାରଙ୍କୁ ନୂତନ ବାଚସ୍ପତି ଭାବରେ ନିର୍ବାଚିତ କରିପାରେ ଏନଡିଏ । ରାଜ୍ୟ ବିଧାନସଭାର ନୂତନ ଅଧିବେଶନ ଡିସେମ୍ବର ୧ରୁ ଚାରି-ପାଞ୍ଚ ଦିନ ପାଇଁ ଡକାଯିବାର ସମ୍ଭାବନା ଅଛି । ଶ୍ରୀ କୁମାର ନୀତିଶ କୁମାରଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିଲେ କିନ୍ତୁ ବିଜେପି ତାଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରିପାରେ ବୋଲି ସୂଚନା ମିଳିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଥିଲା ।



