
ଠିକାଦାରଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ଗୁଳିକାଣ୍ଡ, ଛଅ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ୍
କେନ୍ଦୁଝର ଜିଲ୍ଲା ବଲାଣିଥାନା ଅନ୍ତର୍ଗତ ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ଖଣି ଅନ୍ତର୍ଗତ ସେଣ୍ଟ୍ରାଲ ମାଇନିଂ ଆଣ୍ଡ ଲୋଜିଷ୍ଟିକ ଅର୍ଗାନାଇଜେସନ(ସିଏମେଲଓ) ଅଧୀନସ୍ଥ ବଲାଣି ଖଣି ଟାଉନସିପ୍ ର ନିର୍ମାଣାଧୀନ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ( ଏସ୍ ଟି ପି) ପ୍ରାଙ୍ଗଣରେ ଗୁଳିକାଣ୍ଡ ଘଟିଥିବା ନେଇ ସୂଚନା। ଏହି ଗୁଳିକାଣ୍ଡରେ କୌଣସି ଜନ ଜୀବନ ହାନି ହୋଇନଥିଲେ ହେଁ ଅଳ୍ପକେ ଗୋଟିଏ ପକ୍ଷର ଠିକାଦାର ସହଯୋଗୀ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ବଲାଣି ଖଣି ଟାଉନସିପ୍ ରେ ଖଣି ପକ୍ଷରୁ ଏସଟିପି ନିର୍ମାଣ କରିବା ନିମନ୍ତେ ଛତିଶଗଡ଼ ରାଜ୍ୟର ବିଳାସପୁର ଅଞ୍ଚଳର ମେକୋ ଟେକ୍ନୋଲୋଜି ପରିଭେଟ ଲିମିଟେଡ଼ ନାମକ ଏକ ଘରୋଇ ଠିକା ସଂସ୍ଥାକୁ ଏହି କାର୍ଯ୍ୟାଦେଶ ବଲାଣି ଖଣି ପକ୍ଷରୁ ମିଳିଥିଲା । ଉକ୍ତ କମ୍ପାନୀ ପୁନଃ ଉକ୍ତ କାର୍ଯ୍ୟକୁ ରେଙ୍ଗାଳୀ ଅଞ୍ଚଳର ବିଜେନ୍ଦ୍ରନାଥ ପଣ୍ଡା ନାମକ ଠିକା ସଂସ୍ଥାକୁ ଚୁକ୍ତିନାମା କରି ଠିକାରେ ଦେଇଥିଲେ । ତେବେ ତାଙ୍କ ମଧ୍ୟରେ ଟଙ୍କା ଲେଣଦେଣ କୁ ନେଇ ଶନିବାର ବିବାଦ ଦେଖାଦେଇଥିବା ବେଳେ ରବିବାର ମେକୋ ଟେକ୍ନୋଲୋଜି ପ୍ରାଇଭେଟ ସଂସ୍ଥାର କିଛି ଅଧିକାରୀ ଉକ୍ତ ଏସ୍ ଟି ପି ପ୍ଲାଣ୍ଟରେ ଥିବା କିଛି କଠୋରିରେ ତାଲା ପକାଇଦେଇଥିଲେ । ତେବେ ଏହା ପରେ ସେଠାରେ ଦୁଇ ଠିକା ସଂସ୍ଥା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସେଠାରେ ମେକୋ ସଂସ୍ଥାର ଅଧିକାରୀଙ୍କ ବନ୍ଧୁକଧାରୀ ବ୍ୟକ୍ତିଗତ ସୁରକ୍ଷାକର୍ମୀ ବିଜେନ୍ଦ୍ରନାଥ ପଣ୍ଡାଙ୍କ ସହଯୋଗୀଙ୍କ ଉପରେ ହଠାତ ରାଇଫଲରୁ ଗୁଳି ଫୁଟେଇ ଦେଇଥିଲେ । ତେବେ ଗୁଳି ଫୁଟେଇବା ପୂର୍ବରୁ ତାଙ୍କୁ ଅପରପକ୍ଷ ଲୋକେ ବିରୋଧ କରିବାରୁ ଲକ୍ଷଭ୍ରଷ୍ଟ ହୋଇଯାଇଥିଲା ଓ ଗୁଳି ଯାଇ ମାଟିରେ ବାଜିଥିଲା । ଏ ନେଇ ବିଜେନ୍ଦ୍ରନାଥ ପଣ୍ଡାଙ୍କ ସହଯୋଗୀ ଥାନାରେ ଏତଲା କଲା ପରେ ବଲାଣି ଥାନା ଅଧିକାରୀ ଲବ ବୋଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ମେକୋ ସଂସ୍ଥାର ୪ ଜଣ ଅଧିକାରୀ ଉମେଶ ଦେବେଙ୍ଗନ, ମୁକେଶ ଦୁବେ, ଲବ କୁମାର ସିଂହ ,ଉମେଶ ରାମ ସହ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଆଖିଲେଶ ଶୁକ୍ଳା ଓ ମନୋଜ ଶୁକ୍ଳାଙ୍କୁ ଥାନାରେ ଅଟକ ରଖିବା ପରେ ସେମାନଙ୍କ ବିରୁଦ୍ଧରେ ବଲାଣି ପୋଲିସ୍ ବିଭିନ୍ନ ଦଫା ଲଗାଇ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା । ଉଭୟ ସୁରକ୍ଷାକର୍ମୀଙ୍କ ଠାରୁ ପୁଲିସ ଗୋଟିଏ 315 ରାଇଫଲ ଓ ଗୋଟିଏ ପିସ୍ତଲ ଜବତ କରିବା ସହିତ ଜୀବନ୍ତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ବଲାଣି ପୋଲିସ୍ । ଏହି ଗୁଳିକାଣ୍ଡ ଘଟଣା ପରେ ବଲାଣି ଅଞ୍ଚଳରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ଘଟଣା ପରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ଉକ୍ତ ଅଞ୍ଚଳକୁ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




