ଓଷ୍ଟା ର ଆହ୍ଵାନ ରେ ଆନ୍ଦୋଳନ ପାଇଁ ରଣସଜ୍ଜା ପ୍ରସ୍ତୁତି ନେଇ ଅତାବିରା ବ୍ଲକ ସ୍ତରୀୟ କନଭେନସନ୍

ଵରଗଡ:୩/୧୨(ପବିତ୍ର ମେହେର) ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାୟତନ କୁ ସୁଦୃଢ଼ କରିବା ତଥା ଶିକ୍ଷକ ଓ ଛାତ୍ର ମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରି ଆସୁଥିବା , ସ୍ଵାଧୀନତା ର ପୂର୍ବରୁ ସଂଗଠିତ ସର୍ବ ପୁରାତନ ଶିକ୍ଷକ ସଂଘ /ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଗଠନ ଓଷ୍ଟା ର ସାଧାରଣ ସମ୍ପାଦକ ରଞ୍ଜନ ଦାଶ ଙ୍କ ଆହ୍ଵାନ ତଥା ନିର୍ଦ୍ଦେଶ କ୍ରମେ ଦାବି ହାସଲ କୁ ନେଇ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଆନ୍ଦୋଳନ ପାଇଁ ଓଡ଼ିଶାର ପ୍ରତି ବ୍ଲକ ରେ ଆଜି ରଣସଜ୍ଜl ର ପ୍ରସ୍ତୁତି ଚାଲିଛି । ଏ ନେଇ ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦର ପାଲି ରାମଚଣ୍ଡୀ ମନ୍ଦିର ପରିସରରେ ଅତାବିରା ବ୍ଲକ ସ୍ତରୀୟ କନଭେନସନ୍ ଅନୁଷ୍ଠିତ ହୋଇଥିଲା । ଓଷ୍ଟା ବ୍ଲକ ସଭାପତି ବାଳମୁକୁନ୍ଦ ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କନଭେନସନ୍ କ୍କୁ ବ୍ଲକ ସମ୍ପାଦକ ପ୍ରସନ୍ନ ବେହେରା ପରିଚାଳିତ କରିଥିଲେ ।ଏହି ସଭାରେ ଶିକ୍ଷକ ମାନଙ୍କ ପାଇଁ ସଂଘ ପକ୍ଷରୁ ରଖାଯାଇଥିବା ନ୍ୟାର୍ଯ୍ୟ ଦାବି ସମୂହ ଯଥା ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁରୁଣା ପେନସନ ପ୍ରଦାନ, ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ କୁ ଅନୁଦାନ ପ୍ରଦାନ ଓ ଅବସର ବୟସ ୬୦ ରୁ ୬୨ କୁ ବୃଦ୍ଧି ଆଦି ଉପରେ ଆଲୋଚନା କରିବା ସହ ଆନ୍ଦୋଳନ ର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ନିଜର ହକ ପାଇବା ପାଇଁ ସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରାରେ ସମସ୍ତେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ସମସ୍ତଙ୍କ ଯୋଗଦାନ ନିହାତି ଆବଶ୍ୟକ ବୋଲି ସଭାପତି ଶ୍ରୀଯୁକ୍ତ ସାହୁ କହିଥିଲେ ।ଅନେକ ଶିକ୍ଷକ ଆଜି ରିକ୍ତ ହସ୍ତରେ ଅବସର ନେଇ ରାସ୍ତା କଡ଼ରେ ପରିବା ବିକ୍ରୀ କରି ପରିବାର ପ୍ରତିପୋଷଣ କରୁଥିବା ଶିକ୍ଷକ ସମାଜ ପାଇଁ ଏକ ଅବାନ୍ତର ,ଅଶୋଭନୀୟ ତଥା ଶିକ୍ଷକ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବୋଲି ସମସ୍ତେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।ଏହି ବୈଠକରେ ଓଷ୍ଟା ବ୍ଲକ ସ୍ତରୀୟ ଶିଶୁ ମେଳା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା ।ଜିଲ୍ଲା ଉପସଭାପତି ସଚ୍ଚିଦାନନ୍ଦ ପ୍ରଧାନ, ଅନୁସୂୟା ଦେବତା, ଜିଲ୍ଲା ଯୁଗ୍ମ ସମ୍ପାଦକ ଯାଦବ ପ୍ରଧାନ, ବ୍ଲକ ଉପ ସଭାପତି ସରମା ନାଏକ, ଯୁଗ୍ମ ସମ୍ପାଦକ ପୁରନ୍ଦର ପ୍ରଧାନ, ଜିଲ୍ଲା ସଂଯୋଜକ ତଥା ବରିଷ୍ଠ ସଦସ୍ୟ ହିମାଂଶୁ ସାହୁ, ବଳରାମ ସାହୁ, ଲଳିତ ଗଡତିଆ, ଦୀପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ପୁରନ୍ଦର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।



