ପୁରୁଣା ଏନ୍ଏଚ୍-୪୨ କଲେଜ ବାଇପାସ ଠାରୁ ଗଣେଷ ବଜାର, ବାଜିଚୌକ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ୬୦ ଫୁଟ ପ୍ରଶସ୍ତ ରାସ୍ତାକୁ ଦୁଇ ଥାକିଆ, ସହର ଭିତରେ ପାର୍କିଂ ବ୍ୟବସ୍ଥା, ମହାବୀର ଛକ ଓ ବାଜିଚୌକ ଛକ ପ୍ରଶସ୍ତିକରଣ ଦାବି
ଢେଙ୍କାନାଳ : ପୁରୁଣା ଜାତୀୟ ରାଜପଥ-୪୨ କଲେଜ ବାଇପାସ ଛକ ଠାରୁ ଗଣେଷ ବଜାର ପର୍ଯ୍ୟନ୍ତ ଏବଂ ବାଜିଚୌକ ଛକ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ରାସ୍ତା ପୂର୍ବରୁ ୬୦ ଫୁଟ ଚଉଡ଼ା ଥିଲା। ଢେଙ୍କାନାଳ ବାଇପାସ ରାସ୍ତା ତିଆରି ହେବା ପରେ ବର୍ତ୍ତମାନ ଏହା ଅନେକ ସ୍ଥାନରେ ସଂକୀର୍ଣ୍ଣ ହୋଇଛି। ସହରର ଲୋକ ସଂଖ୍ୟା ବଢ଼ିବା ସହିତ ଦୁଇ ଚକିଆ, ଚାରି ଚକିଆ ଓ ଅନ୍ୟ ଯାନବାହାନ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି l ସେହି ତୁଳନାରେ ସହର ମଧ୍ୟରେ ଯାନବାହାନ ରଖି ମାର୍କେଟିଙ୍ଗ କରିବାପାଇଁ ପାର୍କିଂ ସ୍ଥାନର ଘୋର ଅଭାବ ରହିଛି l ଏହି ସମସ୍ୟା ଗୁଡ଼ିକର ସମାଧାନ ନିମିତ୍ତ ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟି ପକ୍ଷରୁ ନଗର ସଭାପତି ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ତିନି ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ମହାବୀର ବଜାର- ମେଡିକାଲ ରାସ୍ତା ଛକ ଓ ବାଜିଚୌକ- ଓଭରବ୍ରିଜ ଛକ ଅନେକ ବର୍ଷରୁ ପ୍ରଶସ୍ତିକରଣ ପାଇଁ ପ୍ରସ୍ତାବ ଥିଲେ ମଧ୍ୟ୍ୟ ହୋଇପାରିନାହିଁ। ଏଠି ବିଜେପି ବିଜେଡି ନେତା ମାନଙ୍କର ଛକାପଞ୍ଝା ଚାଲିଛି। ସହରବାସୀଙ୍କ ଭବିଷ୍ୟତ ପାର୍କିଂ ବ୍ୟବସ୍ଥା ପାଇଁ କାହାର ନଜର ନାହିଁ। ଏପରିକି ଆଇଏଏସ ଜିଲ୍ଲାପାଳ ଓ ଆଇପିଏସ ଆରକ୍ଷୀ ଅଧିକ୍ଷକ ମାନେ ନେତା ମାନଙ୍କ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଦୁରଦୃଷ୍ଟି ଅଭାବରୁ ସହର ମଧ୍ୟରେ ଥିବା ଅନେକ ସରକାରୀ ଜାଗା କର୍ମଚାରୀ ମାନେ ଲାଞ୍ଚ ଖାଇ ମୁଷ୍ଟିମେୟ ଲୋକଙ୍କୁ ଦେଉଥିବା ବେଳେ କେଉଁଠି କିଛି ସଂସ୍ଥାକୁ ଟେକି ଦେଉଛନ୍ତି ଆଉ କେଉଁଠି ରାଜନୈତିକ ବ୍ୟକ୍ତିମାନେ ଅକ୍ତିଆର କରି ନେଉଛନ୍ତି। ଫଳରେ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଓ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ଗାଁ ଗହଳିରୁ କିଣାବିକା କରିବାପାଇଁ ଆସୁଥିବା ସାଧାରଣ ବ୍ୟକ୍ତି ମାନେ ପାର୍କିଂ ଅଭାବରୁ ଅଜାଣତରେ ନ ରଖିବା ସ୍ଥାନରେ ଭୁଲରେ ରଖିଦେଉଛନ୍ତି, ଯାହା ପୋଲିସ ପାଇଁ ଆହେତୁକ ଆର୍ଥିକ ଫାଇନ୍ ଆଦାୟର ପଥ ପ୍ରସସ୍ଥ କରୁଛି। ପୂର୍ବତନ ଓ ବର୍ତ୍ତମାନର ବିଧାୟକ, ସାଂସଦ ମାନେ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ବିକାଶ ନାଁ ରେ ଯେଉଁଠି ବେଶୀ ପିସି ତଥା ଲାଞ୍ଚ ମିଳିବ ସେହିପରି କାମ କରୁଛନ୍ତି l ସହରବାସୀଙ୍କ ସ୍ୱାର୍ଥପାଇଁ ଆମ୍ ଆଦ୍ମୀ ପାର୍ଟି ଦାବି କରୁଛି : ପୁରୁଣା ଜାତୀୟ ରାଜପଥ-୪୨ କଲେଜ ବାଇପାସ ଠାରୁ ଗଣେଷ ବଜାର ପର୍ଯ୍ୟନ୍ତ ଏବଂ ବାଜିଚୌକ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ୬୦ ଫୁଟ ପ୍ରଶସ୍ତ ରାସ୍ତା ଡିଭାଇଡ଼ର ସାହାଯ୍ୟରେ ଦୁଇ ଥାକିଆ ରାସ୍ତା କରାଯାଉ, ମହାବୀର ବଜାର- ମେଡିକାଲ ରାସ୍ତା ଛକ ଓ ବାଜିଚୌକ- ଓଭରବ୍ରିଜ ଛକ ପ୍ରଶସ୍ତିକରଣ କରାଯାଉ ଏବଂ ସହରବାସୀ ତଥା ସହର ବାହାରୁ ମାର୍କେଟିଙ୍ଗ ପାଇଁ ଆସୁଥିବା ସାଧାରଣ ଲୋକମାନଙ୍କ ଯାନବାହାନ ଗୁଡିକ ପାଇଁ ସ୍ଥାନ ନିରୂପଣ କରାଯାଇ ପାର୍କିଂ ବ୍ୟବସ୍ଥା କରାଯାଉ। ଉକ୍ତ ସମସ୍ୟା ଗୁଡ଼ିକର ଆସୁ ସମାଧାନ କରାନଗଲେ ଆଗାମୀ ଦିନରେ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଓ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଚେତାବନୀ ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଚିତ୍ତରଞ୍ଜନ ପାଣି, ନଗର ଉପସଭାପତି ବିଜୟ କୁମାର ଦାସ, ବରିଷ୍ଠ ସଦସ୍ୟ ମିଟୁ ମହାପାତ୍ର, ଜୟଦେବ ବେହେରା, ଇଂ ପିତାମ୍ବର ଦାସ, ପ୍ରସନ୍ନ ବରାଳ, ସୋମନାଥ ଦାସ, ଚିନ୍ମୟ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।



